ରାଷ୍ଟ୍ରୀୟ ପେନସନ ପ୍ରଣାଳୀ

ଜାତୀୟ ପେନସନ ଯୋଜନା

ରାଷ୍ଟ୍ରୀୟ ପେନସନ ପ୍ରଣାଳୀ କିମ୍ବା ନ୍ୟାସନାଲ ପେନସନ ସ୍କିମ (NPS) ଭାରତ ସରକାରଙ୍କଦ୍ୱାରା ୧ ଜାନୁୟାରୀ ୨୦୦୪ରୁ ଆରମ୍ଭ କରାଯାଇଥିବା ଏକ ପେନସନ ଯୋଜନା ଅଟେ ।

ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (NPS)
Type of projectmanagement pension fund
LocationMumbai, Kolkata
CountryIndia
Websitewww.npscra.nsdl.co.in

ପ୍ରଥମେ ଏହା କେବଳ ସରକାରୀ କର୍ମଚାରୀମାନଙ୍କର ସୁବିଧା ନିମତେ ଆରମ୍ଭ କରାଯାଇଥିଲା । ପରେ ୨୦୦୯ ମସିହାରେ ୧୮ରୁ ୬୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକମାନଙ୍କର ପାଇଁ ଖୋଲାଯାଇଥିଲା । [୧] I ପିଏଫଆରଡିଏ (Pension Fund Regulatory and Development Authority) ଏହି ଯୋଜନାର ରକ୍ଷଣାବେକ୍ଷଣ କରିଥାଏ । ପରିପକ୍ୱତା ସମୟରେ ସର୍ବମୋଟ ରାଶିର ୪୦% ଭାଗରେ ଆୟକର ପଡ଼େ ନାହିଁ । କିନ୍ତୁ ଏକି ୬୦%ରେ ଆୟକର ଦେବାକୁ ପଡିଥାଏ ।[୨][୩][୪] ସେହି ୬୦% ଟିକସଯୁକ୍ତ ରାଶିରୁ ୪୦% ରାଶିରେ କୌଣସି ଏକ ଆନ୍ୟୁଇଟି ଯୋଜନା କିଣିବା ବାଧ୍ୟତାମୂଳକ ଅଟେ । [୫] ଅର୍ଥାତ ସେହି ୪୦% ରାଶି ଆପଣଙ୍କୁ ମାସକୁ ମାସ ପେନସନ ଆକାରରେ ମିଳିବ, ବାକି ସବୁ ରାଶି ଏକାଥରେ ପରିପକ୍ୱତା ସମୟରେ ମିଳିଯିବ ।

ଖାତା ଖୋଲିବାର ଯୋଗ୍ୟତା

ଉଭୟ ଭାରତୀୟ ନାଗରୀକ ଏବଂ ପ୍ରବାସୀ ଭାରତୀୟ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁତ କରିପାରିବେ । କିନ୍ତୁ, ନିମ୍ନରେ କିଛି ସର୍ତ୍ତବଳୀ ଲାଗୁ ହେବ:[୬][୭][୮]

  • ନିବେଶକାରୀ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।
  • ନିବେଶକାରୀ ଖାତା ଖୋଲିବା ସମୟରେ କେୱାଇସି (Know Your Customer) ଫର୍ମରେ ଥିବା ସମସ୍ତ ସର୍ତ୍ତାବଳୀ ମାନିବାକୁ ବାଧ୍ୟ ।

ନିମ୍ନଲିଖିତ ବ୍ୟକ୍ତିମାନେ ଖାତା ଖୋଲିପାରିବେ ନାହିଁ :

  • ଅସୁସ୍ଥ ମାନସିକ ସ୍ଥିତିରେ ଥିବା ନିବେଶକାରୀ ।
  • ଦେବାଳିଆ ବ୍ୟକ୍ତି
  • ଆଗରୁ ଖାତା ଥିବା ନିବେଶକାରୀ

ହିତାଧିକାରୀ

ଡିସେମ୍ବର ୨୦୧୬ ସୁଦ୍ଧା ୧ କୋଟି ୪୧ ଲକ୍ଷ ଲୋକ ଏହି ଯୋଜନାରେ ନିବେଶ କରିସାରିଲେଣି । ଦିନକୁ ପାଖାପାଖି ୧୦,୦୦୦ ବ୍ୟକ୍ତି ଏହି ଯୋଜନାରେ ଖାତା ଖୋଲୁଛନ୍ତି ।[୯][୧୦][୧୧] ନିମ୍ନରେ ସେପ୍ଟେମ୍ବର ୨୦୧୮ ସୁଦ୍ଧା ଥିବା ପରିସଂଖ୍ୟାନକୁ ଦର୍ଶାଗଲା:[୧୨]

ବିଭାଗମୋଟ ନିବେଶକାରୀମୋଟ ଅର୍ଥ ପରିମାଣ (କୋଟି ଟଙ୍କାରେ)ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ (କୋଟି ଟଙ୍କାରେ)
କେନ୍ଦ୍ର ସରକାର୧୯,୬୬,୩୭୫୭୦,୧୫୯୯୨,୯୭୯
ରାଜ୍ୟ ସରକାର ଗୁଡ଼ିକ୪୦,୨୮,୨୭୩୧,୦୬,୭୯୨୧,୨୯,୮୩୪
ବେସରକାରୀ ସଂସ୍ଥାଗୁଡ଼ିକ୭,୪୦,୨୩୮୨୦,୬୮୧୨୪,୬୩୫
ଅଚିହ୍ନିତ ସଂସ୍ଥା୭,୪୩,୯୬୮୬,୯୪୫୬,୭୫୦
ଏନପିଏସ ସ୍ୱାବଲମ୍ବନ୪୩,୮୫,୨୮୧୨,୪୬୯୩,୦୯୨
ମୋଟ୧,୧୮,୬୪,୧୩୫୨,୦୭,୦୪୭୨,୫୭,୨୯୩

ଖାତା କିପରି ଖୋଲିବେ

ଅନଲାଇନ ପ୍ରକ୍ରିୟା

୨୦୧୫ ମସିହାରୁ ଅନଲାଇନରେ ଜଣେ ଚାହିଁଲେ ଏହି ଯୋଜନାରେ ଖାତା ଖୋଲିପାରିବେ । [୧୩][୧୪]

  • ଆଧାର କାର୍ଡ଼ ଜନିତ ପଞ୍ଜୀକରଣ କରି ୯୦ ଦିନ ମଧ୍ୟରେ ଏନପିଏସ ଫର୍ମକୁ ବ୍ୟାଙ୍କଦ୍ୱାରା ବା ଡାକ ଯୋଗେ ଏନପିଏସ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼େ ।
  • ପ୍ୟାନ କାର୍ଡ଼ ଏବଂ ବ୍ୟାଙ୍କ ଖାତା ତଥ୍ୟ ଦେଇ ମଧ୍ୟ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ ।

ଅଫଲାଇନ ପ୍ରକ୍ରିୟା

ଆପଣଙ୍କୁ ନିକଟସ୍ଥ ପିଏଫଆରଡିଏ ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ପରିଭ୍ରମଣ କରି ନିବେଦନ କରି ଖାତା ଖୋଲିପାରିବେ ।[୧୫]

ଟଙ୍କା ବାହାର କରିବା

ପରିପକ୍ୱତା ପୂର୍ବରୁ ଅର୍ଥାତ ନିବେଶକାରୀଙ୍କୁ ୬୦ ବର୍ଷ ହେବ ପୂର୍ବରୁ ଯଦି ନିବେଶକାରୀ ଟଙ୍କା କାଢ଼ିବାକୁ ଚାହାନ୍ତି (ଜଣେ ସର୍ବାଧିକ ତିନି ଥର ୬୦ ବର୍ଷ ପୂର୍ବରୁ ଟଙ୍କା କାଢ଼ିପାରିବେ[୧୬]) ତେବେ ମୋଟ ଜମାରାଶିର ୮୦% ଭାଗ ଆପଣଙ୍କୁ କୌଣସି ଏକ ଆନ୍ୟୁଇଟି ଯୋଜନା କିଣିବା ବାଧ୍ୟତାମୂଳକ ଅଟେ । ବାକି ୨୦% ସେ କାଢ଼ିପାରିବେ ।[୧୭] [୧୮]

୨୦୧୬ବି ମସିହାରେ ଯୋଜନାରେ ପରିବର୍ତ୍ତନ ଅଣାଯାଇଥିଲା ଯେଉଁଥିରେ, ଯଦି ଯୋଜନାଟିରେ ୩ ବର୍ଷରୁ ଅଧିକ ସମୟ ଧରି ଜଣେ ନିବେଶ କରିଛନ୍ତି ତେବେ ମୋଟ ଜମାରାଶିର ୨୫% କିଛି ନିର୍ଦ୍ଧିଷ୍ଟ କାରଣ ନିମିତ୍ତ ନିବେଶକାରୀ ଉଠାଇପାରିବେ । ଯଦି ଜମାରାଶି ୨,୦୦,୦୦୦ରୁ କାମ ତେବେ ଜଣେ ସମ୍ପୂର୍ଣ୍ଣ ଅର୍ଥ ଉଠାଇପାରିବେ ।[୧୯]

ଟିକସରେ ସୁବିଧା

  • ସେକ୍ସନ ୮୦ସିସିଡି(୧) ଅନୁସାରେ ୧,୫୦,୦୦୦ ଟଙ୍କା ଏହି ଯୋଜନାରେ ଲଗାଇଲେ ସେହି ଅର୍ଥରେ ଆୟକର ଦେବାକୁ ପଡିବ ନାହିଁ ।
  • ସେକ୍ସନ ୮୦ସିସିଡି(୧ବି ) ଅନୁସାରେ ୫୦,୦୦୦ ଟଙ୍କା ଏଥିରେ ଥିବା ଟିୟର-୧ ଖାତାରେ ଜମା କଲେ, ୮୦ସିର ୧,୫୦,୦୦୦ ଟଙ୍କାଠାରୁ ଛାଡ଼ିକି ଏହି ୫୦,୦୦୦ ଜମା ରାଶି ଉପରେ ଆୟକର ରିହାତି ମିଳିବ ।[୨୦] ଆପଣ ଯଦି PPFରେ ୧,୫୦,୦୦୦ ରଖିଛନ୍ତି, ଏବଂ ଏଥିରେ ୫୦,୦୦୦ ଟଙ୍କା ଜମା ରଖିଛନ୍ତି ତେବେ ଉଭୟରେ ଆପଣଙ୍କୁ ଆୟକର ରିହାତି ମିଳିବ ଅର୍ଥାତ ସବୁ ଅର୍ଥ ୨,୦୦,୦୦୦ ଟଙ୍କା ଆପଣଙ୍କର ଆୟକର ଛାଡ଼ ହୋଇଯିବ ।
  • ନିବେଶକାରୀଙ୍କର କର୍ମ ନିୟୋକ୍ତାଙ୍କର ତରଫରୁ ଆସୁଥିବା ବେସିକ ଏବଂ ମହଙ୍ଗା ଭତ୍ତାର ୧୦% ସେକ୍ସନ ୮୦ସିସିଡି(୨) ଅଧୀନରେ ଆୟକର ଛାଡ଼ ହୋଇଯିବ ।[୨୧]

ଆହୁରି ଦେଖନ୍ତୁ

ଆଧାର

ବାହ୍ୟ ଆଧାର