ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)

ହିମାଳୟର ପଶୁ

ହିମ କଲରାପତ୍ରିଆ ବାଘ (English: Snow Leopard ବା Ounce, ଜୀବବିଜ୍ଞାନ ନାମ Panthera uncia) ଏକ ପାର୍ବତୀୟ ବିଡ଼ାଳ । ମଧ୍ୟ-ଏସିଆ, ଦକ୍ଷିଣ-ଏସିଆର ହିମାବୃତ ପାର୍ବତୀୟ ଅଞ୍ଚଳରେ ଏମାନେ ବିଚରଣ କରିଥାନ୍ତି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏମାନଙ୍କ ସଂଖ୍ୟା ୧୦୦୦୦ ରହିଯାଇଥିବାରୁ ଏବଂ ଆଗାମୀ ୨୩ ବର୍ଷରେ ଏମାନଙ୍କ ସଂଖ୍ୟା ଆହୁରି ୧୦% ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିବାରୁ IUCN ସଂରକ୍ଷଣ ତାଲିକାରେ ଏମାନଙ୍କୁ Vulnerable ଶ୍ରେଣୀଭୁକ୍ତ କରାଯାଇଛି । ୨୦୧୬ ମସିହା ବେଳକୁ ସମଗ୍ର ବିଶ୍ୱରେ ଏମାନଙ୍କ ସଂଖ୍ୟା ୪୬୭୮-୮୭୪୫ ରହିଥିବ ବୋଲି ଅନୁମାନ କରାଯାଉଛି ।[୧][୩]

ହିମ କଲରାପତ୍ରିଆ (ସ୍ନୋ ଲେପର୍ଡ୍)
ଏକ ଅଣ୍ଡିରା ହିମ କଲରାପତ୍ରିଆର ଅତି ନିକଟରୁ ଉଠାଯାଇଥିବା ଚିତ୍ର
ଜର୍ମାନୀର କୋଲୋନ୍ ଜୀବ ଉଦ୍ୟାନରେ ରଖାଯାଇଥିବା ଏକ ହିମ କଲରାପତ୍ରିଆ
Conservation status

Vulnerable  (IUCN 3.1)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ମାମାଲିଆଫୋର୍ମ୍ସ
ଶ୍ରେଣୀ:ମାମାଲିଆ
ବର୍ଗ:କାର୍ନିଭୋରା
Suborder:Feliformia
Family:Felidae
Genus:Panthera
ଜାତି:P. uncia
ବାଇନୋମିଆଲ ନାମ
Panthera uncia
(ୟୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍ଖ୍ରେବର୍, ୧୭୭୫)
ହିମ କଲରାପତ୍ରିଆ ବାଘମାନଙ୍କ ଭୌଗୋଳିକ ବିତରଣ
Synonyms
  • Felis irbis ଖ୍ରୀଷ୍ଟିୟାନ୍ ଏହରେନବର୍ଗ୍, ୧୮୩୦ (= Felis uncia ସ୍ଖ୍ରେବର୍, ୧୭୭୫) ଓ ଏହାର ପରବର୍ତ୍ତୀ ସମୟର ଜୀବବିଜ୍ଞାନ ନାମ (ଥିଓଡୋର୍ ଶେର୍ମାନ୍ ପାଲ୍ମାର୍, ୧୯୦୪).[୨]
  • Uncia uncia ରେଜିନାଲ୍ଡ୍ ଇନ୍ନେସ୍ ପୋକକ୍, ୧୯୩୦

ସମୁଦ୍ରପତନରୁ ୩୦୦୦-୪୫୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ହିମ କଲରାପତ୍ରିଆ ବାଘମାନେ ବସବାସ କରନ୍ତି । ଏସିଆ ମହାଦେଶରେ ପୂର୍ବ ଆଫଗାନିସ୍ତାନରୁ ନେଇ ମଙ୍ଗୋଲିଆ ଓ ପଶ୍ଚିମ ଚୀନ ପର୍ଯ୍ୟନ୍ତ ଏହି ଜୀବ ବସବାସ କରନ୍ତି । ଏମାନଙ୍କ ଭୌଗୋଳିକ ବିସ୍ତୃତିର ଉତ୍ତରାଂଶରେ ଏମାନେ ସମୁଦ୍ରପତନରୁ କମ୍ ଉଚ୍ଚତାରେ ମଧ୍ୟ ବିଚରଣ କରିବା ଦେଖାଯାଇଛି ।[୪][୫]

ବର୍ଗୀକରଣ ଅନୁସାରେ ହିମ କଲରାପତ୍ରିଆ ବାଘକୁ ପ୍ରଥମେ ଉଞ୍ଚିଆ (Uncia) ଜାତିର ବୋଲି କୁହାଯାଉଥିଲା ।[୨] ବିଭିନ୍ନ ଜେନେଟିକ୍ ବିଶ୍ଳେଷଣକୁ ଭିତ୍ତି କରି ୨୦୦୮ ମସିହାରୁ ଏହାକୁ ପାନ୍ଥେରା (Panthera) ପ୍ରଜାତିରେ ସ୍ଥାନିତ କରାଯାଇଛି । ଭିନ୍ନ ରୂପ ଦୃଷ୍ଟିରୁ ହିମ କଲରାପତ୍ରିଆର ଦୁଇଟି ଉପପ୍ରଜାତି ଚିହ୍ନଟ କରାଯାଇଥିଲେ ହେଁ ସେମାନଙ୍କ ମଧ୍ୟରେ ରହିଥିବା ଜିନ୍-ଗତ ପାର୍ଥକ୍ୟ ଜଣାପଡ଼ି ପାରିନାହିଁ ।[୧] ତେଣୁ ଏହାକୁ ଏକମାତ୍ର ବର୍ଗ ବା ପ୍ରକାର ବିଶିଷ୍ଟ ପ୍ରାଣୀ ବୋଲି କୁହାଯାଏ ।[୬]

ନାମକରଣର ଇତିହାସ

ଏହି ଜୀବର ଜୀବବିଜ୍ଞାନ ନାମରେ ରହିଥିବା ଲାଟିନ୍ ଶବ୍ଦ ଉଞ୍ଚିଆ (uncia) ଓ ଏହାର ଅନ୍ୟ ଈଂରାଜୀ ନାମ ଆଉନ୍ସ୍ (ounce) ଏକ ଫରାସୀ ଶବ୍ଦ ଓନ୍ସେ (once)ରୁ ଉଦ୍ଧୃତ । ଏହି ଓନ୍ସେ ଶବ୍ଦଟି ଲିଂକ୍ସ୍ ନାମକ ଜୀବ ପାଇଁ ବ୍ୟବହୃତ ହେଉଥିଲା । ଫରାସୀ ଭାଷାରେ ଲିଂକ୍ସ୍ ଶବ୍ଦଟି ପ୍ରଥମାବସ୍ଥାରେ la once ଓ କାଳକ୍ରମେ ଅପଭ୍ରଂଶ ହୋଇ l'once ବୋଲି କୁହାଗଲା । ତେଣୁ ଏହି ଶବ୍ଦରୁ la (ଈଂରାଜୀ ଶବ୍ଦ the)କୁ ବାଦ ଦିଆଯାଇ ଜୀବଟିର ପ୍ରକୃତ ନାମ once ବୋଲି ପ୍ରଚଳିତ ହେଲା । ଲିଂକ୍ସ୍ ପରି ଗଠନ ଓ ଆକାର ଥିବା ହିମ କଲରାପତ୍ରିଆ ଓ ଅନ୍ୟ ଜୀବଙ୍କ ପାଇଁ ଏହି ଶବ୍ଦ ବ୍ୟବହାର ହେବାରେ ଲାଗିଲା ।[୭][୮]

ଅପରପକ୍ଷେ ଈଂରାଜୀ ଶବ୍ଦ panther (ପ୍ୟାନ୍ଥର୍)ଟି ପାରମ୍ପରିକ ଲାଟିନ୍ ଶବ୍ଦ panthēraରୁ; ଯାହା ପ୍ରାଚୀନ ଗ୍ରୀକ୍ ଶବ୍ଦ pánthēr (πάνθηρ)ରୁ ଗୃହୀତ ବୋଲି ଅନୁମାନ କରାଯାଏ ।[୯] ସଂସ୍କୃତରେ ବାଘର ଅର୍ଥସୂଚକ ଶବ୍ଦ ପୁଣ୍ଡରୀକ (पुण्डरीक) ଓ ସମାର୍ଥବାଚକ ଅପଭ୍ରଂଶ ଶବ୍ଦ ପାଣ୍ଡର (पाण्डर)ରୁ ମଧ୍ୟ ଏହା ଉଦ୍ଧୃତ ହୋଇଥିବାର ସମ୍ଭାବନା ରହିଛି ।[୧୦]

ବର୍ଗୀକରଣ ଏବଂ କ୍ରମ-ବିବର୍ତ୍ତନ

ପାନ୍ଥେରା ପ୍ରଜାତିର ଦୁଇଟି ବିବର୍ତ୍ତନ କ୍ଲାଡୋଗ୍ରାମ୍ ଚିତ୍ର ‍‍(ଉପରଟି ୨୦୦୬ ଓ ୨୦୦୯ ମସିହାର ଗବେଷଣା ଓ ତଳଟି ୨୦୧୦ ଓ ୨୦୧୧ ମସିହାର ଗବେଷଣାକ ଭିତ୍ତି କରି ପ୍ରକାଶ କରାଯାଇଛି)

ଉପ-ପ୍ରଜାତି

ଫାଇଲୋଜେନି

ଆକୃତି ଓ ପ୍ରକୃତି

ଆଫଗାନିସ୍ତାନର ୱଖାନ୍ ଜିଲ୍ଲାରେ ଦେଖାଯାଇଥିବା ଏକ ହିମ କଲରାପତ୍ରିଆ
ଘଞ୍ଚ ଲୋମାବୃତ ହିମ କଲରାପତ୍ରିଆର ବଡ଼ ବଡ଼ ପଞ୍ଝା ଓ ପଞ୍ଝା ତଳର ନରମ ମାଂସପିତୁଳା
ହିମ କଲରାପତ୍ରିଆର ଖପୁରୀ
ଫ୍ରାନ୍ସର ଏକ ଚିଡ଼ିଆଖାନାରେ ଥିବା ଏକ ହିମ କଲରାପତ୍ରିଆର ଚିତ୍ର । ଏଥିରେ ଏହାର ମୋଟା ଲୋମଶ ଲାଞ୍ଜ ସ୍ପଷ୍ଟ ଦେଖାଯାଉଛି ।

ହିମ କଲରାପତ୍ରିଆ ବାଘର ଚମଡ଼ା ଧଳା ବା ପାଉଁଶିଆ ରଙ୍ଗର ହୋଇଥାଏ । ଏହା ଉପରେ କଲରାପତ୍ର ପରି କଳା ଦାଗ ଗୁଡ଼ିଏ ରହିଥାଏ । ମୁଣ୍ଡ ଓ ବେକ ନିକଟର ଦାଗ ଅପେକ୍ଷାକୃତ ଛୋଟ ଓ ଲାଗି ଲାଗି ରହିଥିବା ବେଳେ, ପିଠି, ଲାଞ୍ଜ ଓ ଗଣ୍ଡିର କଲରାପତ୍ର ଦାଗ ସାମାନ୍ୟ ବଡ଼ ହୋଇଥାଏ । ଏହାର ପେଟ ପାଖଟି ଧଳା ରଙ୍ଗର ହୋଇଥାଏ । ଏହାର ଲୋମ ମୋଟା, ଗହଳିଆ ଏବଂ ୫-୧୨ ସେଣ୍ଟିମିଟର୍ ଲମ୍ବା ହୋଇଥାଏ । ଏହି ଜୀବର ଶରୀର ଗଠନ ଖୁବ୍ ବଳିଷ୍ଠ, ତେବେ ଏହାର ଗୋଡ଼ଗୁଡ଼ିକ ଛୋଟ । ପାନ୍ଥେରା ପ୍ରଜାତିର ଅନ୍ୟ ଜୀବମାନଙ୍କ ଅପେକ୍ଷା ହିମ କଲରାପତ୍ରିଆ ବାଘ ଆକାରରେ ଛୋଟ । ଭୂମିରୁ କାନ୍ଧର ଉଚ୍ଚତା ପାଖାପାଖି ୫୬ ସେଣ୍ଟିମିଟର୍, ମୁଣ୍ଡ ଓ ବେକକୁ ମିଶାଇ ଶରୀରର ଦୈର୍ଘ୍ୟ ପ୍ରାୟ ୭୫-୧୫୦ ସେଣ୍ଟିମିଟର୍, ଲାଞ୍ଜର ଦୈର୍ଘ୍ୟ ୮୦-୧୦୫ ସେଣ୍ଟିମିଟର୍ । ଏହାର ଆଖିର ରଙ୍ଗ ପାଉଁଶିଆ ବା ଫିକା ସାଗୁଆ ରଙ୍ଗର । ଏହାର ନାକ ପାଖଟି ବେଶୀ ବାହାରକୁ ବାହାରି ନାହିଁ ଓ କପାଳ ପାଖଟି ଏକ ଗମ୍ବୁଜର ଅର୍ଦ୍ଧଭାଗ ପରି । ଏହାର ନାକର ପୁଡ଼ାଗୁଡ଼ିକ ବଡ଼ ବଡ଼ ।[୧୧][୧୨]ହିମ କଲରାପତ୍ରିଆ ବାଘର ଓଜନ ୨୨ରୁ ୫୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । କିଛି ବଡ଼ ଅଣ୍ଡିରା ବାଘ କ୍ୱଚିତ୍ ୭୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ପହଞ୍ଚିବା ବେଳେ କିଛି ବାଘୁଣୀ ୨୫ କିଲୋଗ୍ରାମ୍ ଓଜନର ହୋଇଥିବାର ମଧ୍ୟ ଦେଖାଯାଇଛି ।[୧୨][୧୩]

ଥଣ୍ଡା ପାର୍ବତୀୟ ଓ ତୁଷାରାବୃତ ଅଞ୍ଚଳରେ ବସବାସ କରିପାରିବା ପାଇଁ ହିମ କଲରାପତ୍ରିଆ ବାଘ ଶରୀରରେ ଅନେକ ବିଶେଷତା ଦେଖାଯାଏ । ଏହାର ଶରୀର ବଳିଷ୍ଠ, ଲୋମ ଗହଳିଆ ଓ ମୋଟା, କାନଗୁଡ଼ିକ ଛୋଟ ଓ ଗୋଲାକାର । ଏହି ସବୁ ଶାରୀରିକ ବିଶେଷତ୍ତ୍ୱ ଯୋଗୁଁ ଏମାନଙ୍କ ଶରୀରରୁ ତାପ ବିକିରଣ (ଅପଚୟ) କମ୍ ହାରରେ ହୋଇଥାଏ । ଏହାର ବଡ଼ ବଡ଼ ପଞ୍ଝା ଏହାର ଶରୀରକୁ ଧରି ରଖିବାରେ ଓ ତୁଷାରାଚ୍ଛନ୍ନ ଭୂମି ଉପରେ ଚାଲିବାରେ ସାହାଯ୍ୟ କରନ୍ତି । ପଞ୍ଝାର ତଳ ଓ ଚାରି ପାଖରେ ରହିଥିବା ଲୋମ ପଥୁରିଆ ଓ ଢାଲୁଆ ଭୂମିରେ ଭାରସାମ୍ୟ ରଖିବାରେ ସାହାଯ୍ୟ କରନ୍ତି । ଏହାର ଲମ୍ବା ଲାଞ୍ଜଟି ଚର୍ବି ଗଚ୍ଛିତ ହୋଇ ମୋଟା ହୋଇଯାଏ, ମୋଟା ଲୋମରେ ଭରା ହୋଇ ରହିଥାଏ । ଏହି ଲାଞ୍ଜ ଭାରସାମ୍ୟ ରକ୍ଷାରେ ସାହାଯ୍ୟ କରେ ଓ ଶୋଇବା ବେଳେ ମୁହଁ ଘୋଡ଼ାଇ ରଖିବା ପାଇଁ ଛୋଟ କମ୍ବଳ ପରି ମଧ୍ୟ ଉପଯୋଗୀ ହୋଇଥାଏ ।[୧୪]

ଏହି କଲରାପତ୍ରିଆ ବାଘ ଗର୍ଜ୍ଜନ କରିପାରେ ନାହିଁ । ଏହାର ଜିଭ ପଛପଟର ହାଡ଼ ଗଠନ କିନ୍ତୁ ଅନ୍ୟ ପାନ୍ଥେରା ଜୀବଙ୍କ ପରି । ପ୍ରଥମେ ଏହି ହାଡ଼ର ଗଠନ ହିଁ ଗର୍ଜ୍ଜନ କରିବାର ଶକ୍ତି ଦିଏ ବୋଲି ଜୀବବିଜ୍ଞାନୀ ବିଶ୍ୱାସ କରୁଥିଲେ । କିନ୍ତୁ ପରେ ନୂତନ ପରୀକ୍ଷଣରୁ ଜଣାପଡ଼ିଲା ଯେ ଗର୍ଜ୍ଜନ କରିବା ପାଇଁ ଲାରିଂକ୍ସ୍ ସ୍ୱରଯନ୍ତ୍ର ମଧ୍ୟ ଆବଶ୍ୟକ ଯାହାକି ହିମ କଲରାପତ୍ରିଆ ବାଘ ଶରୀରରେ ନାହିଁ ।[୧୫][୧୬] ତେବେ ଏମାନେ କିଛି ପ୍ରକାରର ଫୁତ୍କାର, ମ୍ୟାଉଁ କରିବା, ବିଳାପ କରିବା ପରି ଶବ୍ଦ କରିପାରନ୍ତି ।

ଭୌଗୋଳିକ ବିସ୍ତୃତି ଓ ପରିବାସ

ଭାରତର ଲଦାଖ୍ ଅଞ୍ଚଳରେ ଦେଖାଯାଇଥିବା ଏକ ହିମ କଲରାପତ୍ରିଆ ବାଘ


ସର୍ବମୋଟ ସଂଖ୍ୟା

୨୦୦୩ ମସିହା ପୂର୍ବରୁ ସ୍ୱାଧୀନ ଭାବେ ବିଚରଣ କରୁଥିବା ହିମ କଲରାପତ୍ରିଆ ବାଘଙ୍କ ସଂଖ୍ୟା ୪୦୮୦ରୁ ନେଇ ୬୫୦୦ ମଧ୍ୟରେ ରହିଥିବ ବୋଲି ଅନୁମାନ କରାଯାଉଥିଲା ।[୪] ୨୦୧୬ ମସିହାରେ ସମଗ୍ର ବିଶ୍ୱରେ ରହିଥିବା ହିମ କଲରାପତ୍ରିଆ ବାଘଙ୍କ ସର୍ବମୋଟ ସଂଖ୍ୟା ୪୬୭୮ରୁ ୮୭୪୫ ବୋଲି କୁହାଯାଇଛି ଯାହାକି ଏମାନଙ୍କ ପୂର୍ବ ସଂଖ୍ୟାରୁ ଅଧିକ ।[୩]

ଦେଶପରିବାସ କ୍ଷେତ୍ର
(କି.ମି.)
ଆନୁମାନିକ
ପ୍ରାଣୀସଂଖ୍ୟା[୧]
ଆଫଗାନିସ୍ତାନ୫୦ ହଜାର୧୦୦-୨୦୦?
ଭୁଟାନ୧୫ ହଜାର୧୦୦-୨୦୦?
ଚୀନ୧୧ ଲକ୍ଷ୨୦୦୦-୨୫୦୦
ଭାରତ୭୫ ହଜାର୨୦୦-୬୦୦
କାଜାଖ୍‍ସ୍ତାନ୫୦ ହଜାର୧୮୦-୨୦୦
କିର୍‍ଗିଜ୍‍ସ୍ତାନ୧ ଲକ୍ଷ ୫ ହଜାର୧୫୦-୫୦୦
ମଙ୍ଗୋଲିଆ୧ ଲକ୍ଷ ୧ ହଜାର୫୦୦-୧୦୦୦
ନେପାଳ୩୦ ହଜାର୩୦୦-୫୦୦
ପାକିସ୍ତାନ୮୦ ହଜାର୨୦୦-୪୨୦
ତାଜିକିସ୍ତାନ୧ ଲକ୍ଷ୧୮୦-୨୨୦
ଉଜବେକିସ୍ତାନ୧୦ ହଜାର୨୦-୫୦

ହିମ କଲରାପତ୍ରିଆ ବାଘମାନେ ନିମ୍ନ ସଂରକ୍ଷିତ ଅଞ୍ଚଳରେ ଦେଖାଯାନ୍ତି :

  • ଖୈବର-ପାଖ୍‍ଥୁନ୍‍ଖ୍ୱା (ପାକିସ୍ତାନ)ର ଚିତ୍ରାଲ୍ ଜାତୀୟ ଉଦ୍ୟାନ
  • ଲଦାଖ୍ (ଜାମୁ ଓ କାଶ୍ମୀର, ଭାରତ)ର ହେମିସ୍ ଜାତୀୟ ଉଦ୍ୟାନ
  • ଗିଲ୍‍ଗିଟ୍-ବାଲ୍‍ଟିସ୍ତାନ (ପାକିସ୍ତାନ)ର ଖୁଞ୍ଜେରାବ୍ ଜାତୀୟ ଉଦ୍ୟାନ
  • ଉତ୍ତରାଖଣ୍ଡ (ଭାରତ)ର ନନ୍ଦାଦେବୀ ଜାତୀୟ ଉଦ୍ୟାନ (ଯାହା ଏକ ପ୍ରାକୃତିକ ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟ)[୧୭]
  • ତିବ୍ୱତ (ଚୀନ)ର ଚୋମୋଲାଂମା ଜାତୀୟ ପ୍ରକୃତି ସଂରକ୍ଷଣ କ୍ଷେତ୍ର[୧୮]
  • ନେପାଳର ପ୍ରାକୃତିକ ବିଶ୍ୱ ଐତିହ୍ୟ ସ୍ଥଳ ସାଗରମଥା ଜାତୀୟ ଉଦ୍ୟାନ[୧୯]
  • ଜିନ୍‍ଜିଆଂଗ୍ (ଚୀନ)ର ପଶ୍ଚିମ ତ୍ୟାନ୍‍ଶାନ୍ ପର୍ବତମାଳାସ୍ଥିତ ଟ୍ୟୁମୋର୍ ଫେଂଗ୍ ପ୍ରକୃତି ସଂରକ୍ଷଣ କ୍ଷେତ୍ର[୨୦]
  • ଉତ୍ତରାଖଣ୍ଡ (ଭାରତ)ର ପ୍ରାକୃତିକ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତାପ୍ରାପ୍ତ ପୁଷ୍ପ ଉପତ୍ୟକା ଜାତୀୟ ଉଦ୍ୟାନ
  • ଡୋଲ୍ପା (ନେପାଳ)ର ଶେ-ଫୋକ୍ସୁନ୍ଦୋ ଜାତୀୟ ଉଦ୍ୟାନ
  • ବାଗ୍ଲୁଂଗ୍ (ନେପାଳ)ର ଧୋର୍ପାତନ୍ ଶିକାର ଅଭୟାରଣ୍ୟ
  • ପଶ୍ଚିମ ନେପାଳସ୍ଥିତ ଅନ୍ନପୂର୍ଣ୍ଣା ସଂରକ୍ଷିତ ଅଞ୍ଚଳ
  • ପଶ୍ଚିମ ନେପାଳସ୍ଥିତ ଅପି ନାମ୍ପା ସଂରକ୍ଷିତ ଅଞ୍ଚଳ
  • ଭୁଟାନର ଜିଗ୍‍ମେ ଡୋର୍ଜି ଜାତୀୟ ଉଦ୍ୟାନ
  • ମଙ୍ଗୋଲିଆର ଗୋବି-ଗୁର୍ବଂଶାଇଖାନ୍ ଜାତୀୟ ଉଦ୍ୟାନ
  • ମଙ୍ଗୋଲିଆ ଓ ଋଷିଆର ତୁଭା ଗଣରାଜ୍ୟର ସୀମାବର୍ତ୍ତୀ ଉବୁସୁନୁର୍ ଗର୍ତ୍ତ
  • ଭାରତର ଦିବାଂଗ୍ ବନ୍ୟଜୀବ ଅଭୟାରଣ୍ୟ
  • କାଜାଖ୍‍ସ୍ତାନର ଅକ୍ସୁ-ଜାବାଗ୍ଲି ପ୍ରକୃତି ଅଭୟାରଣ୍ୟ
  • କିର୍‍ଗିଜ୍‍ସ୍ତାନର ସାରୈଚଟ୍-ଏର୍ତାଶ୍ ପ୍ରାଦେଶିକ ପ୍ରକୃତି ଅଭୟାରଣ୍ୟ
  • ଋଷର କାତୁନ୍ ପ୍ରକୃତି ଅଭୟାରଣ୍ୟ
  • ହିମାଚଳ ପ୍ରଦେଶ (ଭାରତ)ର କିବ୍ୱର୍ ବନ୍ୟଜୀବ ଅଭୟାରଣ୍ୟ
  • ହିମାଚଳ ପ୍ରଦେଶ (ଭାରତ)ର ପିନ୍ ଉପତ୍ୟକା ଜାତୀୟ ଉଦ୍ୟାନ
  • ହିମାଚଳ ପ୍ରଦେଶ (ଭାରତ)ର କୁଲ୍ଲୁସ୍ଥିତ ମହା-ହିମାଳୟ ଜାତୀୟ ଉଦ୍ୟାନ
  • ଭାରତ, ନେପାଳ ଓ ଭୁଟାନର ପବିତ୍ର ହିମାଳୟ ପର୍ବତଶ୍ରେଣୀ

ଉତ୍ତର-ପୂର୍ବ ଆଫଗାନିସ୍ତାନର ୱଖାନ୍ ଅଞ୍ଚଳରେ କ୍ୟାମେରା ଟ୍ରାପ୍ ସହାୟତାରେ ୧୬ଟି ଭିନ୍ନ ଭିନ୍ନ ସ୍ଥାନରେ ହିମ କଲରାପତ୍ରିଆ ବାଘଙ୍କ ଫଟୋ ଉଠାଯାଇଛି ।[୨୧]

ପରିସ୍ଥିତିକ ବ୍ୟବହାର

ତୁଷାରାଚ୍ଛନ୍ନ ଭୂମିରେ ଚାଲୁଥିବା ହିମ କଲରାପତ୍ରିଆ

ହିମ କଲରାପତ୍ରିଆ ବାଘମାନେ ଏକାକୀ ଜୀବନଯାପନ କରନ୍ତି । ମା' ହିମ କଲରାପତ୍ରିଆ ବାଘୁଣୀମାନେ ନିଜ ଶାବକମାନେ ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ରହନ୍ତି । ନିଜ ପାର୍ବତୀୟ ଗୁମ୍ଫା ବା ଆବାସସ୍ଥଳୀରେ ଲମ୍ବା ସମୟ ଯାଏଁ ବାଘୁଣୀମାନେ ନିଜ ଶାବକଙ୍କୁ ଲୁଚାଇ ରଖନ୍ତି ।

ହିମ କଲରାପତ୍ରିଆ ବାଘମାନେ ଶିକାର ପାଇଁ ଏକ ବଡ଼ ଅଞ୍ଚଳ ବା କ୍ଷେତ୍ରରେ ବିଚରଣ କରନ୍ତି । କିନ୍ତୁ ଆଉ ଏକ ହିମ କଲରାପତ୍ରିଆ ବାଘ ଏମାନଙ୍କ କ୍ଷେତ୍ରକୁ ଆସିଲେ ଅନ୍ୟ ବିଡ଼ାଳ ଜାତୀୟ ପ୍ରାଣୀଙ୍କ ପରି ଆକ୍ରାମକ ମନୋଭାବ ପୋଷଣ କରନ୍ତି ନାହିଁ କି ନିଜ କ୍ଷେତ୍ର ପାଇଁ ଯୁଦ୍ଧ କରନ୍ତି ନାହିଁ । ଏମାନଙ୍କ ବିଚରଣ କ୍ଷେତ୍ରର ଆକାରରେ ବିବିଧତା ଦେଖା ଦେଇପାରେ । ନେପାଳରେ ଅଧିକ ଶିକାର ପ୍ରାଣୀ ରହିଥିଲେ ୧୦୦ ବର୍ଗ କି.ମି. କ୍ଷେତ୍ରରେ ୫-୧୦ଟି ହିମ କଲରାପତ୍ରିଆ ବାଘ (ପ୍ରତ୍ୟେକ ଜୀବର ନିଜ କ୍ଷେତ୍ର ୧୨ ବର୍ଗ କି.ମି.ରୁ ୪୦ ବର୍ଗ କି.ମି.) ବିଚରଣ କରୁଥିବା ବେଳେ ଶିକାର କମ୍ ଥିବା ଅଞ୍ଚଳରେ ୧୦୦୦ ବର୍ଗ କି.ମି. କ୍ଷେତ୍ରରେ କେବଳ ୫ଟି ହିମ କଲରାପତ୍ରିଆ ବାଘ ରହିଥାନ୍ତି ।[୧୫] ୨୦୦୮ରୁ ୨୦୧୪ ମସିହା ମଧ୍ୟରେ କରାଯାଇଥିବା ଏକ ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପାରମ୍ପରିକ ତଥ୍ୟର ବିପରୀତ ଏମାନଙ୍କ ବିଚରଣ କ୍ଷେତ୍ର ବହୁତ ବଡ଼ ହୋଇଥାଏ; ବାଘମାନେ ୮୦ ବର୍ଗ ମାଇଲ୍ ଓ ବାଘୁଣୀମାନେ ୪୮ ବର୍ଗ ମାଇଲ୍ ପର୍ଯ୍ୟନ୍ତ ବଡ଼ କ୍ଷେତ୍ରରେ ବିଚରଣ କରନ୍ତି । ଏହି ତଥ୍ୟକୁ ବିଚାର କରାଗଲେ ଆହୁରି କହିପାରିବା ଯେ ବର୍ତ୍ତମାନ ଏମାନଙ୍କ ପାଇଁ ରହିଥିବା ୧୭୦ଟି ସଂରକ୍ଷିତ ଅଞ୍ଚଳର ୪୦ ପ୍ରତିଶତ ସ୍ଥାନ ଏମାନଙ୍କ ଜୀବନଯାପନ ପାଇଁ ଯଥେଷ୍ଟ ନୁହେଁ ଓ ଏକ ହିମ କଲରାପତ୍ରିଆ ବାଘର ବିଚରଣ କ୍ଷେତ୍ରଠାରୁ ମଧ୍ୟ ଛୋଟ ।[୨୨]

ଅନ୍ୟ ବିଡ଼ାଳଜାତୀୟ ପ୍ରାଣୀଙ୍କ ପରି ହିମ କଲରାପତ୍ରିଆ ବାଘମାନେ ମୂତ୍ର ସିଞ୍ଚନ କରି ନିଜ ବିଚରଣ ପଥ ଓ କ୍ଷେତ୍ର ନିର୍ଦ୍ଧାରଣ ଓ ଚିହ୍ନଟ କରନ୍ତି । ପଛ ଗୋଡ଼ରେ ଭୂମି ଖୋଳି ସେଠାରେ ମଳମୂତ୍ର ତ୍ୟାଗ କରିବା, ଗଛ ବା ପଥର ଇତ୍ୟାଦିରେ ମୂତ୍ର ସିଞ୍ଚନ କରିବା ଏମାନଙ୍କ କ୍ଷେତ୍ର ନିର୍ଦ୍ଧାରଣ କରିବାର ପ୍ରଣାଳୀ ।[୧୨]

ହିମ କଲରାପତ୍ରିଆ ବାଘମାନେ ନିଶାଚର ବା ସାଂଧ୍ୟକାଳୀନ ଜୀବ ଓ ପାହାନ୍ତା ବା ଗୋଧୂଳି ସମୟରେ ଏମାନେ ସବୁଠାରୁ ଅଧିକ ସକ୍ରିୟ ରହନ୍ତି । ଗୋପନରେ ବିଚରଣ କରିବା ଓ ନିଜର ଉତ୍କୃଷ୍ଟ ଛଳାବରଣ ପାଇଁ ଏମାନେ ବେଶ୍ ଜଣାଶୁଣା ।

ଶିକାର ଓ ଖାଦ୍ୟ

କିର୍ଗିଜ୍‍ସ୍ତାନରେ ଏକ ମାର୍ମୋଟ୍ ଶିକାର କରିଥିବା ହିମ କଲରାପତ୍ରିଆ ବାଘ
ପ୍ୟାରିସ୍‍ ଚିଡ଼ିଆଖାନାରେ ଥିବା ଏକ ହିମ କଲରାପତ୍ରିଆ ବାଘ ଖାଉଥିବା ସମୟର ଚିତ୍ର

ମାଂସଭୋଜୀ ହିମ କଲରାପତ୍ରିଆ ବାଘ ଶିକାର କରିବାପାଇଁ ଖୁବ୍ ସକ୍ରିୟ ହୋଇ ରହିଥାଏ । ହିମ କଲରାପତ୍ରିଆ ବାଘ ଅତ୍ୟନ୍ତ ସୁବିଧାବାଦୀ ଶିକାରୀ (ଅର୍ଥାତ୍, ଯାହା ମିଳେ ତାହାର ଶିକାର କରେ, ବେଶୀ ବାଛବିଚାର କରେ ନାହିଁ) । ହିମ କଲରାପତ୍ରିଆ ବାଘ ସଢ଼ି ଆସୁଥିବା ମାଂସ ଖାଇବାକୁ ମଧ୍ୟ ପଛାଏ ନାହିଁ । ନିଜ ଓଜନର ଦୁଇରୁ ଚାରି ଗୁଣ ଅଧିକ ଓଜନର ଶିକାର ଜନ୍ତୁଙ୍କୁ ମାରିବାର କ୍ଷମତା ରଖେ । ହିମାଳୟ ନୀଳ ମେଣ୍ଢା, ହିମାଳୟ ତାଃର୍, ମର୍ଖୋର୍, ଅର୍ଗାଲି, ଘୋଡ଼ା ଓ ଓଟ ପରି ପ୍ରାଣୀମାନଙ୍କୁ ଏମାନେ ଶିକାର କରିପାରନ୍ତି ।[୨୩] ହିମ କଲରାପତ୍ରିଆ ୩୬-୭୬ କିଲୋଗ୍ରାମ୍ ଓଜନର ଜନ୍ତୁଙ୍କ ଶିକାର କରିବା ପସନ୍ଦ କରନ୍ତି । ଏମାନେ ମାର୍ମୋଟ୍, ପିକା ଓ ଭୋଲ୍ ପରି ଛୋଟ ସ୍ତନ୍ୟପାୟୀ ଜୀବଙ୍କ ଶିକାର କରିବା ମଧ୍ୟ ଦେଖାଯାଇଛି ।[୨୪]

ଏମାନଙ୍କ ଶିକାର କରିବା ଶୈଳୀ ହେଲା – ଏମାନେ ଛପିରହି ଶିକାରକୁ ଉପର ପଟରୁ ଅତର୍କିତ ଭାବେ ଆକ୍ରମଣ କରନ୍ତି । ପାର୍ବତୀୟ ପଥୁରିଆ ଭୂମିରେ, ତୁଷାରାଚ୍ଚନ୍ନ ଭୂମିରେ ଏମାନେ ଅତି ସହଜରେ ଲୁଚି ଛପି ରହିପାରନ୍ତି । ପର୍ବତର ଢାଲୁଆ ଭୂମିରେ ଏମାନେ ଶିକାରକୁ ପ୍ରାୟ ୩୦୦ ମିଟର୍ ପର୍ଯ୍ୟନ୍ତ ଗୋଡ଼ାଇ ପାରନ୍ତି । ବେକକୁ କାମୁଡ଼ି ଧରି ଶିକାର ଜନ୍ତୁର ପ୍ରାଣ ନିଅନ୍ତି ଏବଂ ଖାଇବା ପୂର୍ବରୁ ଶିକାରକୁ ଧରି କୌଣସି ଗୋପନ ଓ ସୁରକ୍ଷିତ ସ୍ଥାନକୁ ପଳାନ୍ତି । ଶିକାରର ଯାହା ବି ଖାଇହେବ ତାହା ଖାଇଯାନ୍ତି । ଗୋଟେ ଭରାଲ୍ ଛେଳି ଖାଇଲେ ହିମ କଲରାପତ୍ରିଆ ବାଘ କିଛି ନ ଖାଇ ବା ଶିକାର ନକରି ୨ ସପ୍ତାହ ପର୍ଯ୍ୟନ୍ତ ରହିଯାଇପାରେ । ଏମାନଙ୍କ ବାର୍ଷିକ ଶିକାର ଆବଶ୍ୟକତା ପ୍ରାୟ ୨୦-୩୦ଟି ନୀଳ ମେଣ୍ଢା ହେବ ବୋଲି କହିପାରିବା ।[୧][୧୨]

ହିମ କଲରାପତ୍ରିଆ ଅଣ୍ଡିରା ୟାକ୍ ବ୍ୟତୀତ ନିଜ ପରିବାସରେ ଦେଖାଯାଉଥିବା ଅନ୍ୟ ପ୍ରାୟ ସମସ୍ତ ଛୋଟବଡ଼ ଜୀବଙ୍କ ଶିକାର କରିପାରେ । ଏହା କିଛି ପତ୍ର, ଘାସ, କାଠି ଇତ୍ୟାଦି ମଧ୍ୟ ଖାଇଥାଏ ।[୧୨] ପ୍ରଣୟ ସମୟରେ ସାଥୀ ହୋଇ ରହୁଥିବା ବାଘ-ବାଘୁଣୀଙ୍କ ଯୋଡ଼ି ମିଳିମିଶି ସଫଳତାର ସହିତ ଶିକାର କରିବା ଦେଖାଯାଇଛି ।[୨୫]

ପରିବାସର ଭୌଗୋଳିକ ଗଠନ, ଉପଲଭ୍ୟ ଶିକାର ଓ ଋତୁଚକ୍ରର ପରିବର୍ତ୍ତନ ଅନୁସାରେ ହିମ କଲରାପତ୍ରିଆ ବାଘର ଶିକାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇପାରେ । ହିମାଳୟ ପର୍ବତମାଳାରେ ହିମାଳୟ ନୀଳ ମେଣ୍ଢା ଓ ସାଇବେରୀୟ ଆଇବେକ୍ସ ଏମାନଙ୍କ ପ୍ରମୁଖ ଶିକାର । କାରାକୋରମ୍, ତ୍ୟାନ୍ ଶାନ୍, ଅଲ୍‍ତାଇ ଓ ମଙ୍ଗୋଲିଆର ଟୋଷ୍ଟ ପର୍ବତାଞ୍ଚଳରେ ଏମାଙ୍କ ମୁଖ୍ୟ ଶିକାର ହେଲେ ସାଇବେରୀୟ ଆଇବେକ୍ସ, ଥୋରୋଲ୍ଡ ହରିଣ, ସାଇବେରୀୟ ରୋ ହରିଣ ଓ ଆର୍ଗାଲି ।[୨୪][୨୬] ଲାଲ୍ ପାଣ୍ଡା, ବାର୍‍ହା, ହନୁ ମାଙ୍କଡ଼, ହିମ ଗଞ୍ଜା ଓ ଚୁକାର୍ ପକ୍ଷୀ ମଧ୍ୟ ହିମ କଲରାପତ୍ରିଆ ବାଘର ଶିକାର ତାଲିକାର ଅଂଶ ।

କିଛି ଅଞ୍ଚଳରେ ହିମ କଲରାପତ୍ରିଆ ବାଘମାନେ ଗୃହପାଳିତ ଗୋରୁଗାଈଙ୍କ ଶିକାର କରିବା ଫଳରେ ମନୁଷ୍ୟମାନଙ୍କ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏ ।[୧] ମଙ୍ଗୋଲିଆରେ ପାର୍ବତ୍ୟାଞ୍ଚଳରେ ଶିକାର କମିଯାଇଥିବାରୁ ହିମ କଲରାପତ୍ରିଆ ବାଘମାନେ ଗୃହପାଳିତ ମେଣ୍ଢାଙ୍କ ଶିକାର କରନ୍ତି । ଏହି ଅଞ୍ଚଳରେ ଗୃହପାଳିତ ଜୀବ ୨୦% ସମୟରେ ହିମ କଲରାପତ୍ରିଆର ଶିକାର ହୁଅନ୍ତି ଓ ମଣିଷଙ୍କ ସହିତ ଏମାନଙ୍କ ସାମନାସାମନି ହେବା ଏକ ଅତି ସାଧାରଣ କଥା ।[୨୬] କିଛି ମେଣ୍ଢାଚରାଳି ନିଜ ଜୀବଙ୍କ ସୁରକ୍ଷା ପାଇଁ ହିମ କଲରାପତ୍ରିଆ ବାଘଙ୍କୁ ହତ୍ୟା କରନ୍ତି ।[୧୪] ଗୃହପାଳିତ ପଶୁ ସବୁ କିଛି ଚରିଯିବାରୁ ଶିକାର ଜନ୍ତୁଙ୍କୁ ଖାଇବା ନମିଳିବା ଓ ସେମାନଙ୍କ ସଂଖ୍ୟା ହ୍ରାସ ପାଇବା, ଅବୈଧ ଶିକାର, ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ହତ୍ୟା କରିବାରୁ ଏଠାରେ ହିମ କଲରାପତ୍ରିଆଙ୍କ ସଂଖ୍ୟା କମିବାରେ ଲାଗିଛି । ହିମ କଲରାପତ୍ରିଆ ବାଘ ମନୁଷ୍ୟଙ୍କୁ ଆକ୍ରମଣ କରେନାହିଁ ଓ ବଡ଼ ବିଡ଼ାଳ ଜାତୀୟ ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ପ୍ରତି ସବୁଠାରୁ କମ୍ ଆକ୍ରାମକ ମନୋଭାବ ପୋଷଣ କରେ । ତେଣୁ ଏମାନଙ୍କୁ ଘଉଡ଼ାଇବା ସହଜ, ଘଉଡ଼ାଇଲେ ଖାଇବା ଛାଡ଼ି ପଳାନ୍ତି ଓ ଆକ୍ରମଣ କଲେ ପ୍ରତ୍ୟାକ୍ରମଣ ବା ନିଜର ପ୍ରତିରକ୍ଷା କରିପାରନ୍ତି ନାହିଁ ।[୧୨]

ପ୍ରଜନନ ଏବଂ ଜୀବନ ଚକ୍ର

ଯୁକ୍ତରାଜ୍ୟର ୱେଲ୍ବିନ୍‍ସ୍ଥିତ କ୍ୟାଟ୍ ସର୍ଭାଇଭାଲ୍ ଟ୍ରଷ୍ଟରେ ରଖାଯାଇଥିବା କିଛି ହିମ କଲରାପତ୍ରିଆ ଶାବକ
ଜାପାନର ଟୋକିଓ ନଗରର ତାମା ଚିଡ଼ିଆଖାନାର ଶୈଙ୍ଗିଜ୍ ନାମକ ଏହି ହିମ କଲରାପତ୍ରିଆ ବାଘ ସର୍ବାଧିକ ବର୍ଷ ବଞ୍ଚିଥିଲା

ଅନ୍ୟ ବିଡ଼ାଳଜାତୀୟ ପ୍ରାଣୀମାନେ ବର୍ଷସାରା ପ୍ରଜନନ କରୁଥିବା ବେଳେ ହିମ କଲରାପତ୍ରିଆ ବାଘଙ୍କ କ୍ଷେତ୍ରରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ବହୁ ବାଘୁଣୀ ନିଜ ଶାବକମାନଙ୍କୁ ଜନ୍ମ ନିଅନ୍ତି । ସାଧାରଣତଃ ଗୋପନୀୟ ଜୀବନଯାପନ କରୁଥିବା ହିମ କଲରାପତ୍ରିଆ ବାଘମାନେ ମିଳନ ଋତୁରେ ନିଜ କ୍ଷେତ୍ରରେ ସ୍ଥାନେ ସ୍ଥାନେ ରାମ୍ପୁଡ଼ି ଚିହ୍ନ କରନ୍ତି ଓ ନିଜ ସାଥୀକୁ ଆକର୍ଷିତ କରିବା ପାଇଁ ବାରମ୍ବାର ଡାକ ଦିଅନ୍ତି । ବାଘୁଣୀମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୯୦-୧୦୦ ଦିନ । ଅପ୍ରେଲ୍‍ରୁ ଜୁନ୍ ମାସ ମଧ୍ୟରେ ଶାବକମାନେ ଜନ୍ମଗ୍ରହଣ କରିଥାନ୍ତି । ବାଘୁଣୀମାନଙ୍କ ମିଳନ ପ୍ରବଣତା ୫ରୁ ୮ ଦିନ ପର୍ଯ୍ୟନ୍ତ ରହିଥାଏ । ମିଳନ ଋତୁ କମ୍ ସମୟର ହୋଇଥିବାରୁ ଜଣେ ସଙ୍ଗିନୀ ସହ ମିଳନ ପରେ ହିମ କଲରାପତ୍ରିଆ ବାଘମାନେ ଆଉ ଏକ ବାଘୁଣୀ ସହ ମିଳନର ଆକାଂକ୍ଷା ରଖନ୍ତି ନାହିଁ । ମିଳନ କାଳରେ ହିମ କଲରାପତ୍ରିଆ ଯୁଗଳ ଦିନକୁ ପ୍ରାୟ ୧୨ରୁ ୩୬ ଥର ରତି କ୍ରିୟା କରିବା ଦେଖାଯାଇଛି ।[୧୨]

ହିମ କଲରାପତ୍ରିଆ ବାଘୁଣୀମାନେ ପଥୁରିଆ ଖୋପ ବା ପାର୍ବତ୍ୟ ଗୁମ୍ଫାରେ ନିଜ ଶାବକଙ୍କୁ ଜନ୍ମ ଦେଇଥାନ୍ତି । ଏମାନେ ଏକାବେଳକେ ୧ରୁ ୫ଟି ଛୁଆ ଜନ୍ମ କରିପାରନ୍ତି, ତେବେ ହାରାହାରି ଦେଖିଲେ ଏକା ବେଳରେ ୨.୨ ଶାବକ ଜନ୍ମ ହୋଇଥାନ୍ତି । ଶାବକମାନେ ଜନ୍ମ ହେବା ସମୟରେ ଦୃଷ୍ଟିହୀନ ଓ ଅସହାୟ ଅବସ୍ଥାରେ ଥାଆନ୍ତି, ସେମାନଙ୍କ ଶରୀର ମୋଟା ଲୋମରେ ଆବୃତ ହୋଇ ରହିଥାଏ ଓ ଜନ୍ମ ସମୟରେ ଶାବକମାନେ ୩୨୦-୫୬୭ ଗ୍ରାମ୍ ଓଜନବିଶିଷ୍ଟ ହୋଇଥାନ୍ତି । ପ୍ରାୟ ୭ ଦିନ ପରେ ଶାବକମାନେ ଆଖି ଖୋଲି ପାରନ୍ତି । ୫ ସପ୍ତାହ ପରେ ଶାବକମାନେ ଚଲାବୁଲା କରିବା ଆରମ୍ଭ କରନ୍ତି ଓ ୧୦ ସପ୍ତାହ ବେଳକୁ ମା' କ୍ଷୀର ଖାଇବା ବନ୍ଦ କରନ୍ତି ।[୧୨] ଜନ୍ମ ସମୟରେ ଏମାନଙ୍କ ଦେହରେ ରହିଥିବା କଳା ଦାଗ ସବୁ ବଡ଼ ହେବା ପରେ କଲରାପତ୍ରିଆ ଦାଗରେ ପରିବର୍ତ୍ତିତ ହୋଇଯାଏ ।

ଦୁଇରୁ ଚାରି ମାସ ବୟସରେ ଶାବକମାନେ ଗୁମ୍ଫା ଛାଡ଼ି ନିଜେ ବୁଲାବୁଲି କରିବା ଆରମ୍ଭ କରନ୍ତି । କିନ୍ତୁ ପ୍ରାୟ ୧୮-୨୨ ମାସ ବୟସ ପର୍ଯ୍ୟନ୍ତ ବା ସ୍ୱାବଲମ୍ବୀ ହେବା ଯାଏଁ ନିଜ ମା' ପାଖରେ ରହିଥାନ୍ତି । ମା'ଠାରୁ ଅଲଗା ହେବା ପରେ ଏମାନେ ନିଜ ମା'ର କ୍ଷେତ୍ର ଛାଡ଼ି ବହୁ ଦୂର ପର୍ଯ୍ୟନ୍ତ ଭ୍ରମଣ କରନ୍ତି ଓ ନିଜର ନୂଆ ଶିକାର କ୍ଷେତ୍ର ଠାବ କରନ୍ତି । ଏପରି ବ୍ୟବହାର ଯୋଗୁଁ ଏହି ପ୍ରାଣୀମାନଙ୍କ ମଧ୍ୟରେ ଅନ୍ତଃ-ପ୍ରଜନନର ସମ୍ଭାବନା ହ୍ରାସ ପାଇଥାଏ । ଦୁଇରୁ ତିନି ବର୍ଷ ବୟସ୍କ ହେବା ପରେ ହିମ କଲରାପତ୍ରିଆ ବାଘମାନେ ଯୌନ ପରିପକ୍ୱତା ଲାଭ କରନ୍ତି ଓ ପ୍ରାୟ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହନ୍ତି; ତେବେ ଚିଡ଼ିଆଘରେ ରହୁଥିବା ହିମ କଲରାପତ୍ରିଆ ବାଘମାନେ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବା ଦେଖାଯାଇଛି ।[୧୨][୨୭]

ବିପଦ

ଅବୈଧ ଶିକାର, ଚମଡ଼ା ଓ ଶରୀରର ବିଭିନ୍ନ ଅଂଶର ଚୋରା ବ୍ୟବସାୟ ହିମ କଲରାପତ୍ରିଆ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ବିପଦ । ଅବୈଧ ଶିକାର ଯୋଗୁଁ ପ୍ରତିବର୍ଷ ଚୀନରେ ୧୦୩-୨୩୬, ମଙ୍ଗୋଲିଆରେ ୩୪-୫୩, ପାକିସ୍ତାନରେ ୨୩-୫୩, ଭାରତରେ ୨୧-୪୫ ଓ ତାଜିକିସ୍ତାନରେ ୨୦-୨୫ଟି ହିମ କଲରାପତ୍ରିଆ ବାଘ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଶିକାର ଜନ୍ତୁଙ୍କ ଅଭାବରୁ ହିମ କଲରାପତ୍ରିଆ ବାଘମାନେ ଗୃହପାଳିତ ଜୀବଙ୍କ ଶିକାର କରିବା ଯୋଗୁଁ ଲୋକେ ଏମାନଙ୍କର ଅବୈଧ ଶିକାର କରନ୍ତି ।[୨୮]

ସଂରକ୍ଷଣ

ବିଶ୍ୱ ହିମ କଲରାପତ୍ରିଆ ବାଘ ମଞ୍ଚ (ଫୋରମ୍)

ବିଶ୍‍କେକ୍ ଘୋଷଣା

ବିଶ୍ୱ ହିମ କଲରାପତ୍ରିଆ ବାଘ ଓ ସେମାନଙ୍କ ପରିବେଶ ସଂରକ୍ଷଣ ପ୍ରକଳ୍ପ

୨୦୧୫ ମସିହାକୁ ହିମ କଲରାପତ୍ରିଆ ବାଘର ବର୍ଷଭାବେ ନାମିତ କରାଯାଇଛି

ବନ୍ଦୀ କରି ରଖାଯାଇଥିବା ହିମ କଲରାପତ୍ରିଆ

ମନୁଷ୍ୟ ଓ ହିମ କଲରାପତ୍ରିଆ ବାଘ

ଗୃହପାଳିତ ପଶୁ ଓ ମନୁଷ୍ୟଙ୍କୁ ଆକ୍ରମଣ

ସଂସ୍କୃତିରେ ହିମ କଲରାପତ୍ରିଆ ବାଘ

ଆଉନ୍ସ୍

ଗଣମାଧ୍ୟମରେ ହିମ କଲରାପତ୍ରିଆ ବାଘ

ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରୀ)

ବାସ୍ତବିକ

କାଳ୍ପନିକ

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ିପାରିବେ

ଅନ୍ୟାନ୍ୟ ଲିଂକ୍