ହିମାଂଶୁ ଖଟୁଆ

ନିର୍ଦ୍ଦେଶକ

ହିମାଂଶୁ ଖଟୁଆ ([himaŋsu kʰɔʈuaː] (listen);) (ଜନ୍ମ: ୨୧ ଡିସେମ୍ବର ୧୯୬୫) ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ।[୧] ତାଙ୍କ ନିର୍ଦ୍ଦେଶିତ କଥାନ୍ତର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ କାହାଣୀକାର ପୁରସ୍କାରରେ ସମ୍ମାନିତ ।

ହିମାଂଶୁ ଶେଖର ଖଟୁଆ
ଜନ୍ମ(1965-12-21)ଡିସେମ୍ବର ୨୧, ୧୯୬୫
ଖଟୁଆପାଟଣା, ଭଦ୍ରକ
ଜାତୀୟତା ଭାରତୀୟ
ଶିକ୍ଷାଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆ, ପୁନେ
ପ୍ରସିଦ୍ଧିଓଡ଼ିଆ ସିନେମା ନିର୍ଦ୍ଦେଶନା

ଜୀବନୀ

ପ୍ରାରମ୍ଭିକ ଜୀବନ

ହିମାଂଶୁ ଖଟୁଆ ୧୯୬୫ ମସିହା ଡିସେମ୍ବର ୨୧ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ଖଟୁଆ ପାଟଣା ଗ୍ରାମରେ ପିତା ରବୀନ୍ଦ୍ର ଖଟୁଆ ଏବଂ ମାତା କୁଞ୍ଜଲତା ଖଟୁଆଙ୍କ ଔରସ୍ୟରୁଙ୍କ ଜନ୍ମନେଇଥିଲେ । ନିଜ ଗାଁରୁ ସେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଓ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଧ୍ୟମିକ ଏବଂ କଲେଜ ପଢ଼ା ସମାପ୍ତ କରିଥିଲେ । ଏହାପରେ ସେ ୧୯୯୨ ମସିହାରେ ସିନେମା ଶିକ୍ଷାର ଜାତୀୟ ଅନୁଷ୍ଠାନ ପୁନେସ୍ଥିତ ଏଫଟିଆଇରୁ ପିଜି ଡିପ୍ଲୋମା ଇନ ସିନେମା ଓ ସ୍ପେଶାଲାଇଜେସନ ଇନ ସାଉଣ୍ଡ ରେକର୍ଡ଼ିଂ ଆଣ୍ଡ ଇଂଜିନିୟରିଂରେ ଶିକ୍ଷା ସମାପ୍ତ କଲେ ।

ବୃତ୍ତି

ଉଚ୍ଚଶିକ୍ଷା ପରେ ମୁମ୍ବାଇରେ ଅଳ୍ପ କିଛି ଦିନ କାମ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଓଡ଼ିଶାକୁ ଫେରି ନିଜ ଘନିଷ୍ଠ ବନ୍ଧୁ ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଓ ଯୁଗଳ ଦେବତାଙ୍କଦ୍ୱାରା ପ୍ରଯୋଜିତ ସିନେମା ଇନ୍ଦ୍ରଧନୁର ଛାଇରେ ସାଉଣ୍ଡ ରେକର୍ଡିଷ୍ଟ ଓ ସାଉଣ୍ଡ ଡିଜାଇନର ଭାବେ କାର୍ଯ୍ୟ କରିଥିଲେ ।

ଚଳଚ୍ଚିତ୍ର ନିର୍ଦ୍ଦେଶନା

ପରେ ତାଙ୍କୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ପାଇଁ ଆଳୟ ମହାନ୍ତି ଅନୁରୋଧ କରିଥିଲେ । ସନ୍ୟାସ ବିଷୟବସ୍ତୁକୁ ନେଇ ସେ ୧୯୯୬ ମସିହାରେ ଆରମ୍ଭ କରିଥିଲେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଶୂନ୍ୟସ୍ୱରୂପ । ସିନେମାଟି ସେହି ବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେବା ସହ ୪୪ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଥିଲା । ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ତାହା ଶ୍ରେଷ୍ଠ ସିନେମା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶନା ସହିତ ୫ଟି ବିଭାଗରେ ପୁରସ୍କୃତ ହୋଇଥିଲା । ୨୦୦୫ ମସିହାରେ ସେ କାଦମ୍ବିନୀ ମିଡିଆ ପ୍ରସ୍ତୁତ ପ୍ରଥମ ଚଳଚ୍ଚିତ୍ର କଥାନ୍ତରର ନିର୍ଦ୍ଦେଶନା ଦେଇଥିଲେ । ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ପୁରସ୍କୃତ ହେବା ସହ ସିନେମାଟି ସେହି ବର୍ଷର ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସିନେମା ଓ ଶ୍ରେଷ୍ଠ କାହାଣୀକାର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ପରେ ତାଙ୍କ ନିର୍ଦ୍ଦେଶନାରେ କାହାଣୀ ନୁହେଁ ଚଳଚ୍ଚିତ୍ରକୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ପ୍ରଥମ ଓଡ଼ିଆ ରାଜ୍ୟ ଟେଲିଫିଲ୍ମ ପୁରସ୍କାର ମିଳିଥିଲା । ଓଡ଼ିଶାର ଲୋକ ସଂସ୍କୃତି ମୋଗଲ ତାମସାକୁ ନେଇ ସେ କହେ ବଲ୍ଲଭ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।ଏହି ଚଳଚ୍ଚିତ୍ର ଆନ୍ତର୍ଜାତୀୟ ଦାଦା ସାହେବ ଫାଲକେ ଚଳଚ୍ଚିତ୍ର ମହୋତ୍ସବ, ଆନ୍ତର୍ଜାତୀୟ ମୁମ୍ବାଇ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ, ସାଉଥ ଏସିଆନ ଶର୍ଟ ଫିଲ୍ମ ଫେଷ୍ଟିଭାଲରେ ଏହି ସିନେମାଟି ପ୍ରଦର୍ଶିତ ହୋଇଥିଲା ।

ସେ ନିଜ ରଚିତ କାହାଣୀ ସହିତ ଅନ୍ୟ ଲେଖକ ଲେଖିକାମାନଙ୍କ କାହାଣୀକୁ ନେଇ ମଧ୍ୟ ସିନେମା ତିଆରି କରିଛନ୍ତି । ଜୟନ୍ତ ମହାପାତ୍ରଙ୍କ ଲିଖିତ ଟ୍ରଙ୍କ ଅଫ୍‌ ଗଣେଶକୁ ମାଟିର ବନ୍ଧନ ଚଳଚ୍ଚିତ୍ରରେ ଏବଂ ଇତି ସାମନ୍ତଙ୍କ ରଚିତ ଝଡ଼ ପରର ସୂର୍ଯ୍ୟର କାହାଣୀକୁ ଆଧାର କରି ଚଳଚ୍ଚିତ୍ର କ୍ରାନ୍ତିଧାରା, ଫକୀର ମୋହନ ସେନାପତିଙ୍କ ପ୍ରାୟଶ୍ଚିତର କାହାଣୀକୁ ନେଇ ଦୂରଦର୍ଶନରେ ପ୍ରସାରିତ ଏକ ଟେଲିଫିଲ୍ମ ଆଦି ନିର୍ମାଣ କରିଥିଲେ । କ୍ରାନ୍ତିଧାରା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଆନ୍ତର୍ଜାତୀୟ ସ୍ତରରେ ଏସିଆନ୍ ଏକ୍ସିଲେନ୍ସି ଆୱାର୍ଡ ଏବଂ ସାଉଥ କୋରିଆରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ସେ ଅଭିଶପ୍ତ ଜରାୟୁ, ଭଗ୍ନାଂଶ ଭଳି ଟେଲିଭିଜନ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଆଖଣ୍ଡଳମଣିଙ୍କ ଉପରେ ସେ ୧୬ ଏମ. ଏମ.ରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ତଥା ବିଭିନ୍ନ ଶିକ୍ଷାଭିତ୍ତିକ ଫିଲ୍ମ ନିର୍ମାଣ କରିଛନ୍ତି ।


ଭାରତୀୟ ଚଳଚ୍ଚିତ୍ରକୁ ଲୋକାଭିମୁଖୀ କରିବା ପାଇଁ ସେ ଓଡ଼ିଶାରେ କଳିଙ୍ଗ ଗ୍ଲୋବାଲ୍ ଫିଲ୍ମ ଫେଷ୍ଟିଭାଲ ନାମକ ଏକ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରିଥିଲେ ।

ଶିକ୍ଷାଦାନ

ସେ କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ସାଉଣ୍ଡ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ ୨୦୦୯ ମସିହାରେ କିଟ୍ ବିଶ୍ୱବିଦ୍ୟାଳୟ ଅଧୀନରେ ତିନୋଟି ସ୍କୁଲ ଯଥା କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ, କିଟ୍‌ ସ୍କୁଲ ଅଫ୍‌ ଫ୍ୟାସନ ଏବଂ କିଟ୍‌ ସ୍କୁଲ ଅଫ୍‌ ମାସ୍‌ କମ୍ୟୁନିକେସନ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡାଇରେକ୍ଟର ଜେନେରାଲ ଭାବେ ଯୋଗଦେଇଥିଲେ । ସେ ୨୦୧୫ ମସିହାରେ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ଭାରତ ସରକାର ତାଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।ବର୍ତ୍ତମାନ ଶ୍ରୀଯୁକ୍ତ ଖଟୁଆ ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟରୁ ଅବ୍ୟାହତ ନେବାପରେ ପୁନଃଶ୍ଚ କିଟ୍‌ ବିଶ୍ୱବିଦ୍ୟାଳୟ ଅଧୀନରେ ତିନୋଟି ସ୍କୁଲ ଯଥା କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ, କିଟ୍‌ ସ୍କୁଲ ଅଫ୍‌ ଫ୍ୟାସନ ଏବଂ କିଟ୍‌ ସ୍କୁଲ ଅଫ୍‌ ମାସ୍‌ କମ୍ୟୁନିକେସନ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିବା ସହ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ସୃଷ୍ଟି

ନିର୍ଦ୍ଦେଶନା

  • କଥାନ୍ତର (୨୦୦୬)
  • ଶୂନ୍ୟସ୍ୱରୂପ (୧୯୯୭)
  • ମାଟିର ବନ୍ଧନ
  • କ୍ରାନ୍ତିଧାରା
  • କାହାଣୀ ନୁହେଁ
  • ଓଡ଼ିଶାରେ ଗାନ୍ଧିଜୀ (୨୦୨୧)
  • କହେ ବଲ୍ଲଭ
  • ଦ ସି ଆଣ୍ଡ ସେଭେନ ଭିଲେଜେସ (୨୦୨୩)

ଧାରାବାହିକ

  • ନିର୍ଦ୍ଦେଶକ
  • ପ୍ରାୟଶ୍ଚିତ
  • ଅଭିଶପ୍ତ ଜରାୟୁ
  • ଭଗ୍ନାଂଶ[୨]

ଶବ୍ଦାଙ୍କନ

ପୁରସ୍କାର

ଆଧାର

ବାହାର ଲିଙ୍କ