ସଙ୍ଗୀତା ଦାଶ

ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ

ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି ।[୧][୨] ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ସେ ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନର ଜଣେ ଏ-ଗ୍ରେଡ଼ କଳାକାର ଅଟନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।[୩]

ସଙ୍ଗୀତା ଦାଶ
ସଙ୍ଗୀତା, ରାଷ୍ଟ୍ରପତିଙ୍କଠାରୁ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଗ୍ରହଣ କରୁଥିବା ସମୟରେ
ଜନ୍ମ (1966-04-24) ୨୪ ଅପ୍ରେଲ ୧୯୬୬ (ବୟସ ୫୮)
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା ଓ ଅଭିନେତ୍ରୀ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ପିଲାଦିନେ, ସଙ୍ଗୀତା ଓ ତାଙ୍କ ଦୁଇ ଭଉଣୀଙ୍କୁ ଗୀତ ଓ ନାଚ ଶିଖାଇବା ପାଇଁ ଜଣେ ଗୁରୁ ତାଙ୍କ ଘରକୁ ଆସୁଥିଲେ । ସଙ୍ଗୀତାଙ୍କର ଗୀତ ପ୍ରତି ବେଶୀ ଆଗ୍ରହ ଥିଲା । କିନ୍ତୁ କ୍ରମେ ସେ ନାଚ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ ।[୪] ୭ ବର୍ଷ ବୟସରୁ, ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗଦେଇଥିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ଦେବ ପ୍ରସାଦଙ୍କ ନୃତ୍ୟ ଶୈଳୀକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି ।[୫] ସେ ଗୁରୁ ଚିତ୍ତରଞ୍ଜନ ପାଣିଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି । ଦର୍ଶନରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।

ନର୍ତ୍ତକୀ ଜୀବନ

ସଙ୍ଗୀତା, ଗୁରୁ ଦେବ ପ୍ରସାଦଙ୍କ ଶୈଳୀ ଅନୁସରଣ କରି ନିଜ ନୃତ୍ୟ ପରିବେଷଣ କରନ୍ତି । ଦେବ ପ୍ରସାଦଙ୍କ ସହିତ ସେ ଅନେକ ସ୍ଥାନରେ ନୃତ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ଓ ଦେବ ପ୍ରସାଦଙ୍କ ମୃତ୍ୟୁ ପରେ ଏହି ଶୈଳୀର ବ୍ୟାପକ ପ୍ରସାର ଦିଗରେ ସେ ନିଜେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୬] ସେ ଆମେରିକା, ଜର୍ମାନୀ, ବାହାରିନ, ସିଙ୍ଗାପୁର, ଫ୍ରାନ୍ସ, ଇଟାଲି, ବେଲଜିୟମ, ନେପାଳ, ବଙ୍ଗଳାଦେଶ, ଚିନ, ଉତ୍ତର କୋରିଆ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ବିଭିନ୍ନ ନୃତ୍ୟ କର୍ମଶାଳାରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ଥିରୁଅନନ୍ତପୁରମର ସୂର୍ଯ୍ୟ ଉତ୍ସବ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ସଙ୍ଗମ ଆଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।

ଅଭିନେତ୍ରୀ ଜୀବନ

୧୯୮୪ ମସିହାର ଚଳଚ୍ଚିତ୍ର ଡୋରାରୁ ସଙ୍ଗୀତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ନୃତ୍ୟକୁ ଅଧିକ ସମୟ ଦେବାପାଇଁ ସେ ଅଭିନୟଠାରୁ କ୍ରମଶଃ ଦୁରେଇ ଯାଇଥିଲେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ :

ସମ୍ମାନ ଓ ପୁରସ୍କାର

  • ମାହାରୀ ସମ୍ମାନ - ୧୯୮୯ ( ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ )
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୯
  • ଶୃଙ୍ଗାରମଣି ସମ୍ମାନ - ( କଲ-କେ-କଳାକାର, ମୁମ୍ବାଇ ତରଫରୁ )
  • ଶ୍ରେଷ୍ଠ ସହ-ଅଭିନେତ୍ରୀ - ( ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ସିନେ କ୍ରିକିଟ ପୁରସ୍କାର ପାପପୁଣ୍ୟ ଚଳଚ୍ଚିତ୍ର ପାଇଁ)[୭]
  • ସଂସ୍କୃତ ସମ୍ମାନ - ୧୯୯୮ ( ସଂସ୍କୃତି ପ୍ରତିଷ୍ଠାନ, ଦିଲ୍ଲୀ )[୮]

ଆଧାର

ବାହାର ଆଧାର