ଷଠି ଓଷା

ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା ।
(ଷଠୀ ଦୁସେଇ ଓଷାରୁ ଲେଉଟି ଆସିଛି)

ଷଠି ଓଷା (ଷଠି ବ୍ରତଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା ।[୧] ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା,ଦେବସେନା ବାଳକଦା ବୋଲି କୁହାଯାଏ । ଷୋଡ଼ଶ ମାତୃକା (ଗୌରୀ ମେଧା ସଚୀ ଆଦି) ମଧ୍ୟରେ ତାଙ୍କୁ ଦେବସେନା ନାମରେ ପୂଜା କରାଯାଏ। ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।[୨][୩]

ଷଠି ଓଷା
ଷଠି ଓଷା
ଅନ୍ୟ ନାମନେଙ୍କୁଡ଼ିଆ ଷଠି
ପାଳନକାରୀମାଆମାନଙ୍କ ଦ୍ୱାରା
ପ୍ରକାରଧାର୍ମିକ,
ତାରିଖଭାଦ୍ରବ ଶୁକ୍ଳ ଷଷ୍ଠୀ
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ

ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠି ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।

ପାଳନ ବିଧି

ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।

ଷଠି ବାଡ଼ିଆ

ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: "ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !"[୪]

ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଧ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟା ଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।[୫]

ଆଧାର