ରତନ ଟାଟା

ଶ୍ରୀ ରତନ ନାଭାଲ ଟାଟା (ଜନ୍ମ - ୨୮ ଡିସେମ୍ବର, ୧୯୩୭) ଜଣେ ଭାରତୀୟ ଶିଳ୍ପପତି ଯିଏକି ୧୯୯୧ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ।[୨] ସେ ପ୍ରମୁଖ ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଟାଟା ବଂଶଜ ଅଟନ୍ତି ।

ରତନ ଟାଟା
ଜନ୍ମ୨୮ ଡିସେମ୍ବର ୧୯୩୭
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକର୍ଣେଲ ବିଶ୍ୱବିଦ୍ୟାଳୟ
ହାର୍ବାର୍ଡ ବିଶ୍ୱବିଦ୍ୟାଳୟ
ବୃତ୍ତିଟାଟା ଗ୍ରୁପର ଅଧ୍ୟକ୍ଷ
ସକ୍ରିୟ ବର୍ଷ୧୯୬୨-୨୦୧୨
ବୈବାହିକ-ସାଥୀଅବିବାହିତ
ପୁରସ୍କାରଆଜୀବନ ପାରଦର୍ଶିତା ପୁରସ୍କାର (୨୦୧୨)
ପଦ୍ମ ବିଭୂଷଣ (୨୦୦୮)
ପଦ୍ମ ଭୂଷଣ (୨୦୦୦)
ନାଇଟ ବା ସାର (୨୦୦୯)
ଦସ୍ତଖତ
Ratan Tata signature

ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣ ତଥା ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିବା ପ୍ରମୁଖ । [୩][୪] ସେ ମଧ୍ୟ ଭାରତର ସର୍ବାଧିକ ଶକ୍ତିଶାଳୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚିତ । [୫]

ପ୍ରାରମ୍ଭିକ ଜୀବନ

ରତନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ଟାଟାଙ୍କର ନାତି ଅଟନ୍ତି । ରତନଙ୍କୁ ମାତ୍ର ସାତ ବର୍ଷ ଓ ତାଙ୍କ ସାନଭାଇ ଜିମିଙ୍କୁ ପାଞ୍ଚ ବର୍ଷ ହୋଇଥିବା ବେଳେ ୧୯୪୦ ଦଶକର ମଧ୍ୟଭାଗରେ ତାଙ୍କ ପିତାମାତାଙ୍କ ବିଚ୍ଛେଦ ଘଟିଥିବାରୁ, ତାଙ୍କରି ବାଲ୍ୟଜୀବନ କଷ୍ଟମୟ ଥିଲା। ମା ଛାଡି ଚାଲିଯିବାପରେ ଦୁଇଭାଇଙ୍କର ପ୍ରତିପାଳନ ଜେଜେମା ନଭଜବାଇଙ୍କଦ୍ୱାରା ହୋଇଥିଲା । [୬]

ରତନ ଟାଟା ନିଜର ସ୍କୁଲ ଶିକ୍ଷା ମୁମ୍ବାଇର କାମ୍ପିଅନ ସ୍କୁଲରୁ ଆରମ୍ଭ କରି କ୍ୟାଥେଡ୍ରାଲ ଏଣ୍ଡ ଜନ କନ୍ନନ ସ୍କୁଲରେ ସମାପ୍ତ କରିଥିଲେ।[୭] ୧୯୬୨ରେ ସେ କର୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ୧୯୭୫ରେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ଆଡଭାନ୍ସଡ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ହାସଲ କରିଥିଲେ ।[୮] ଏହା ବ୍ୟତୀତ ସେ ଆଲଫା ସିଗମା ଫାଇ(ୟାଲେଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ୧୦ଟି ସର୍ବପୂରାତନ ସାମାଜିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ)ର ଅଂଶ ଅଟନ୍ତି ।[୯]

ଟାଟା ସନ୍ସରେ କାର୍ଯ୍ୟକାଳ

୧୯୬୨ରେ ଭାରତ ଫେରିବା ପରେ ଆଇ.ବି.ଏମ.ତରଫରୁ ଏକ ଚାକିରୀ ଅଗ୍ରାହ୍ୟ କରି ଜେ.ଆର୍.ଡି.ଟାଟାଙ୍କ ପ୍ରସ୍ତାବ କ୍ରମେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲର ଫ୍ଲୋର ଶପରେ ଅନ୍ୟ ଦୈନିକ ମଜୁରିଆଙ୍କ ସହ ମିଶି ଚୂନପଥର ଭାଙ୍ଗିବାଠାରୁ ଆରମ୍ଭ କରି, ବ୍ଲାଷ୍ଟ ଫର୍ଣେସ ସମ୍ଭାଳିବା ପର୍ଯ୍ୟନ୍ତ କାମ କରିଥିଲେ ।[୧୦] ୧୯୭୧ରେ ସେ ନ୍ୟାସନାଲ ରେଡିଓ ଏଣ୍ଡ ଇଲେକ୍ଟ୍ରୋନିକ୍ନ(ନେଲକୋ)ର ଅଧ୍ୟକ୍ଷ ରୂପେ ଯୋଗ ଦେଲେ, ସେତେବେଳେ କମ୍ପାନୀ ଶୋଚନୀୟ ଭାବେ ୪୦% କ୍ଷତିରେ ଚାଲିଥିଲା ଓ ବଜାରର ମାତ୍ର ୨% ଅଂଶ ଅଧିକାର କରିଥିଲା । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ଏହା ୨%ରୁ ୨୫%କୁ ବୃଦ୍ଧି ପାଇଥିଲା କିନ୍ତୁ ୧୯୭୭ର ଜରୁରୀକାଳୀନ ପରିସ୍ଥିତି ଏବଂ ଦୁର୍ବଳ ଅର୍ଥନୈତିକ ନିତୀ ତଥା ଶ୍ରମିକ ଅସୁବିଧା ପାଇଁ ନେଲକୋ ଶେଷରେ ପୂର୍ବାବସ୍ଥାକୁ ଫେରିଗଲା।

ପୁଣି ୧୯୭୭ରେ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିବା ଏମ୍ପ୍ରେସ ମିଲ ସମ୍ଭାଳିବାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ଓ ସଫଳତାର ସହ କାର୍ଯ୍ୟ ପରିଚାଳନା କରିଥିଲେ । ସମସାମୟିକ ବଜାରରେ ପ୍ରତିଯୋଗିତା ଭିତ୍ତିକ କରାଇବାକୁ ୫୦ ଲକ୍ଷ ଟଙ୍କାର ଅଭାବ ଫଳରେ ଏହା ୧୯୮୬ରେ ବନ୍ଦ ହୋଇଯାଇଥିଲା ।

୧୯୮୧ରେ ଜେ.ଆର.ଡି. ଟାଟା ଇଣ୍ଡଷ୍ଟ୍ରିଜର ମୁଖ୍ୟ ପଦରୁ ଅବସର ଗ୍ରହଣ କରି ରତନ ଟାଟାଙ୍କୁ ପରବର୍ତ୍ତୀ ମୁଖ୍ୟ ନିମନ୍ତେ ମନୋନୀତ କରିଥିଲେ। ବିନା ଅଭିଜ୍ଞତାରେ ଟାଟା ଭଳି ଏକ ବିଶାଳ ସଂସ୍ଥାର କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।[୧୧]

୧୯୯୧ରେ ସେ ଟାଟା ଗ୍ରୁପର ମୁଖ୍ୟ (ଚେୟାରମ୍ୟାନ)ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କରି କାର୍ଯ୍ୟକାଳ ଭିତରେ ଟେଟ୍ଲି, ଜାଗୁଆର ଲ୍ୟାଣ୍ଡ ରୋଭର, କୋରସ ଭଳି କମ୍ପାନୀର ଅଧିଗ୍ରହଣ ସମ୍ଭବ ହୋଇଥିଲା ଏବଂ ଟାଟା ବିଶ୍ୱ-ସ୍ତରୀୟ କମ୍ପାନୀର ମାନ୍ୟତା ଲାଭ କରିଥିଲା( ସମସ୍ତ ଆୟର ପ୍ରାୟ ୬୫% ବୈଦେଶିକ ପୁଞ୍ଜି) । ତାଙ୍କ ସମୟରେ ମଧ୍ୟ ଇଣ୍ଡିକା ତଥା ନାନୋ ଭଳି ଦୁଇଟି ଜନପ୍ରିୟ କାରର ବିକାଶ ତଥା ପ୍ରଗତି ହୋଇପାରିଥିଲା। ୧୯୯୦ ପରେ ଦେଖାଯାଇଥିବା ଅର୍ଥନୈତିକ ସ୍ୱାଚ୍ଛନ୍ଦତା ପାଇଁ ଟାଟା ଗ୍ରୁପ ଅଫ କମ୍ପାନିଜର ସମସ୍ତ ସଫଳତାର ଶ୍ରେୟ ରତନ ଟାଟାଙ୍କୁ ଦିଆଯାଏ । [୧]

ଅଗଷ୍ଟ ୨୦୦୭ରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ରର ବ୍ୱ୍ରିଟିଶ ଷ୍ଟିଲ କମ୍ପାନୀ କୋରସର ଅଧିଗ୍ରହଣ ତତକାଳୀନ ସମୟରେ ଏକ ଭାରତୀୟ କମ୍ପାନୀର ଏକ ବିଦେଶୀ କମ୍ପାନୀ ଅଧିଗ୍ରହଣ ଭାବେ ସବୁଠାରୁ ବଡ଼ ଥିଲା । ଏହି ଅଧିଗ୍ରହଣ ଫଳରେ ଟାଟା ଷ୍ଟିଲ ବିଶ୍ୱର ପଞ୍ଚମ ବୃହତ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ରୂପେ ମାନ୍ୟତା ପାଇଥିଲା। [୧୨]

ରତନ ଟାଟା ଡିସେମ୍ବର ୨୦୧୨ରେ ନିଜ ପଦବୀ ଛାଡିବାକୁ ଘୋଷଣା କରିଛନ୍ତି ଏବଂ ସାପୁର୍ଜୀ ପାଲୁନଜୀ କମ୍ପାନୀର ମୁଖ୍ୟ ପାଲୁନଜୀ ମିସ୍ତ୍ରୀଙ୍କ ୪୨-ବର୍ଷୀୟ ପୁତ୍ର ସାଇରସ ମିସ୍ତ୍ରୀ ଟାଟା ଗ୍ଗ୍ରୁପର ଅଧ୍ୟକ୍ଷ ରୂପେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସ୍ଥିର ହୋଇଛି। [୧୩]

ପୁରସ୍କାର ଓ ସମ୍ମାନ

ରତନ ଟାଟା ବିଭିନ୍ନ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସଦସ୍ୟ ଅଟନ୍ତି । ସେ ମଧ୍ୟ ଇଷ୍ଟ-ବେଷ୍ଟ ସେଣ୍ଟର, ରାଣ୍ଡ'ସ ସେଣ୍ଟର ଫର ଏସିଆ ପାସିଫିକ ପଲିସିର ବୋର୍ଡ ଅଫ ଗଭର୍ଣର୍ସର ସଭ୍ୟ ତଥା ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତରେ ହେଉଥିବା ଏଡସ ନିରାକରଣ ପ୍ରକଳ୍ପର ପରିଚାଳନା ବୋର୍ଡର ସଦସ୍ୟ । [୧୪] ଏହା ବ୍ୟତୀସେ ସେ ଅନେକ ଆନ୍ତର୍ଜାତୀୟ ସଙ୍ଗଠନ ଯଥା - ମିତଶୁବିସି କର୍ପୋରେସନ, ଦି ଆମେରିକାନ ଇଣ୍ଟରନ୍ୟାସନାଲ ଗ୍ରୁପ, ଜେ.ପି. ମୋର୍ଗାନ ଚେଜ, ବୁଜ ଆଲେନ ହାମିଲଟନର ପ୍ରମୁଖ ପରାମର୍ଶଦାତା ଅଛନ୍ତି। ପୁଣି ମଧ୍ୟ ସେ ରାଣ୍ଡ କର୍ପୋରେସନ, ସଦର୍ଣ କାଲିଫୋର୍ଣିଆ ବିଶ୍ୱବିଦ୍ୟାଳୟ, କର୍ଣେଲ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟୀ ବୋର୍ଡର ସଭ୍ୟ ତଥା ଦକ୍ଷିଣ ଆଫ୍ରିକା ଗଣରାଜ୍ୟର ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ କାଉନସିଲ ଏବଂ ନ୍ୟୁ-ୟର୍କ ଷ୍ଟକ ଏକ୍ସଚେଞ୍ଜର ପରାମର୍ଶଦାତା ରୂପେ କାର୍ଯ୍ୟ କରୁଛନ୍ତି। [୧୫][୧୬]୨୦୦୯ ମସିହାରେ ନାଇଟ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର ଅନୁସାରେ ତାଙ୍କୁ ନାଇଟ(ସାର) ଉପାଧି ପ୍ରଦାନ କରାଯାଇଥିଲା।

ବର୍ଷପୁରସ୍କାର ନାମପୁରସ୍କାର ଦେଉଥିବା ଅନୁଷ୍ଠାନଆଧାର
୨୦୧୧ହସ୍ପିଟାଲିଟି ହଲ ଅଫ ଅନର ରେକୋଗନାଇଜିଂ ତାଜ ହୋଟେଲ୍ସ
୨୦୧୧ଏ.ବି.ଏଲ.ଏଫ. ଲାଇଫଟାଇମ ଆଚିଭମେଣ୍ଟ ଆବାର୍ଡ(ଭାରତ)ଏସିଆନ ବିଜିନେସ ଲିଡରଶିପ ଫୋରମ ଆବାର୍ଡସ Archived 2017-09-12 at the Wayback Machine.[୧୭]
୨୦୧୦ବିଜିନେସ ଲିଡର ଅଫ ଦି ଇୟରଦି ଏସିଆନ ଆବାର୍ଡସ[୧୮]
୨୦୧୦ଆଇନରେ ସମ୍ମାନସୂଚକ ଡକ୍ଟରେଟପେପରଡାଇନ ବିଶ୍ୱବିଦ୍ୟାଳୟ.[୧୯]
୨୦୧୦ଲିଜେଣ୍ଡ ଇନ୍ ଲିଡରଶିପ ଆବାର୍ଡୟାଲେ ବିଶ୍ୱବିଦ୍ୟାଳୟ.[୨୦]
୨୦୧୦ବିଜିନେସମ୍ୟାନ ଅଫ ଦି ଡିକେଡଫେଡେରେସନ ଅଫ ଇଣ୍ଡୋ-ଇସ୍ରାଏଲ ଚାମ୍ବର ଅଫ କମର୍ସ[୨୧]
୨୦୦୮ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟଭାରତୀୟ ପ୍ରଦ୍ୟୋଗିକୀ ଅନୁଷ୍ଠାନ,ଖଡଗପୁର[୨୨]
୨୦୦୮ଆଇନରେ ସମ୍ମାନସୂଚକ ଡକ୍ଟରେଟକ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ.[୨୩]
୨୦୦୭ସମ୍ମାନସୂଚକ ସଦସ୍ୟତାଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ.[୨୪]
୨୦୦୭ସିଙ୍ଗାପୁରର ସମ୍ମାନସୂଚକ ଜାତୀୟତାସିଙ୍ଗାପୁର ସରକାର
୨୦୦୭କାର୍ଣେଜି ମେଡାଲ ଅଫ ଫିଲାନଥ୍ରୋପିକାର୍ଣେଜି ଏନଡୌମେଣ୍ଟ ଫର ଇଣ୍ଟରନ୍ୟାସନାଲ ପିସ[୨୫]
୨୦୦୫ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟବାରବିକ ବିଶ୍ୱବିଦ୍ୟାଳୟ.[୨୬]
୨୦୦୪ପ୍ରଯୁକ୍ତି ବିଦ୍ୟାର ସମ୍ମାନସୂଚକ ଡକ୍ଟରେଟଏସିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି[୨୭]
୨୦୦୪ସମ୍ମାନସୂଚକ ଅର୍ଥନୈତିକ ପରାମର୍ଶଦାତାହାଙ୍ଗଜଉ, ଚୀନ[୨୭]
୨୦୦୧ବିଜିନେସ ଆଡମିନିଷ୍ଟ୍ରେସନରେ ସମ୍ମାନସୂଚକ ଡକ୍ଟରେଟଓହାଇଓ ଷ୍ଟେଟ ବିଶ୍ୱବିଦ୍ୟାଳୟ.[୨୮]

ଆଧାର

ବାହାର ଆଧାର