ବୈଷ୍ଣବ ପାଣି

ଓଡ଼ିଆ ନାଟ୍ୟକାର, ପାଲାକାର

ବୈଷ୍ଣବ ପାଣି (୨୬ ଅକ୍ଟୋବର ୧୮୮୨ - ୧୦ ମଇ ୧୯୫୬) ଜଣେ ଓଡ଼ିଆ ନାଟ୍ୟକାର, ପାଲାକାର ଥିଲେ । ସେ ଓଡ଼ିଶାର ଇଂରେଜ ଶାସନ ସମୟରେ ସାମାଜିକ ଚିତ୍ର, ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ, ନିଶା ନିବାରଣ ଆଦି ଉପରେ ଗୀତିନାଟ୍ୟ, ନାଟକ ଆଦି ରଚନା କରିଥିଲେ । [୧] ନିଜର ଲୋକାଭିମୁଖୀ ରଚନା ସକାଶେ ସେ "ଆଶୁକବି", "ଗଣକବି"[୨] ଉପାଧୀରେ ଭୁଷିତ ।

ଗଣକବି ବୈଷ୍ଣବ ପାଣି
ଜନ୍ମ ଓ ଜନ୍ମସ୍ଥାନ(1882-10-26)୨୬ ଅକ୍ଟୋବର ୧୮୮୨
କୋଠପଦା, ମାହାଙ୍ଗା, କଟକ ଜିଲ୍ଲା
ମୃତ୍ୟୁ୧୦ ମଇ ୧୯୫୬(1956-05-10) (ବୟସ ୭୩)
ବୃତ୍ତିକବି
ଜାତୀୟତା ଭାରତୀୟ
ଶୈଳୀସୁଆଙ୍ଗ, ଗୀତିନାଟ୍ୟ

ପ୍ରକୃତ ଅର୍ଥରେ ସେ ଥିଲେ ଗୀତିତିନାଟ୍ୟ ଜନକ ତଥା ମୁଖ୍ୟ ପୁରଧା।

ଜୀବନକାଳ

ପାରିବାରିକ

ଗଣକବି ବୈଷ୍ଣବ ପାଣି ୧୮୮୨ ମସିହା, କୁମାର ପୂର୍ଣ୍ଣିମା ଗୁରୁବାର ଦିନ[୩] (୨୬ ଅକ୍ଟୋବର)[୪]କଟକ ଜିଲ୍ଲାର ମାହାଙ୍ଗା ଥାନାର କୋଠପଦା ଗାଁରେ ସୁଦର୍ଶନ ପାଣିଙ୍କ ଔରସ[୫] ଏବଂ ମାତା ଛାୟା ଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ତାଙ୍କର ପ୍ରକୃତ ନାମ ଶତ୍ରୁଘ୍ନ ଥିଲା । ପିଲାବେଳରୁ ରୋଗାକ୍ରାନ୍ତ ହେତୁ ତାଙ୍କ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ବୈଷ୍ଣବ କରିଦେବାରୁ ସେ ବୈଷ୍ଣବ ନାମରେ ପରିଚିତ । ତାଙ୍କ ପରିବାର ଅଭାବି ଓ ଗରୀବ ଥିଲେ । ତାଙ୍କର ଜନ୍ମରୁ ଦେହାନ୍ତ ଯାଏଁ ଅଭାବ ଅନଟନ ଲାଗିରହିଥିଲା । ଏଗାର ବର୍ଷ ବୟସରୁ ସେ କୋଠପଦା ମଠ ମହନ୍ତଙ୍କ ଅଧୀନରେ ଫୁଲତୋଳା, ଫୁଲଗୁନ୍ଥା କାମରେ ନିଯୁକ୍ତ ହେଲେ । ତଥାପି ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠକାମ ଛାଡ଼ି ଗୋରୁ ଚରାଇବା କାମରେ ରହିଲେ ।

୧୯ ବର୍ଷ ବୟସରେ ସେ ବିବାହ କରିଥିଲେ । ପରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଜଣେ ରଜକ ନାରୀଙ୍କୁ ଦ୍ୱିତୀୟ ବିବାହ କରିବାରୁ ତାହା ଅସବର୍ଣ୍ଣ ବିବାହରେ ଗଣା ହେଲା ଓ ସେ ସମାଜରୁ ବାସନ୍ଦ ହୋଇଥିଲେ ।୧୯୫୬ ମସିହା ବୈଶାଖ ଅମାବାସ୍ୟା[୬] ତିଥିରେ (୧୦ ମଇ)[୭] ତାଙ୍କର ଦେହାନ୍ତ ହୋଇଥିଲା ।

ପିଲାଦିନ

ପିଲା ଦିନେ ବୈଷ୍ଣବ ପାଣି ନୃତ୍ୟଗୀତ କରୁଥିଲେ। କୋଠପଦାର ମହନ୍ତ ବୈଷ୍ଣବ ପାଣିଙ୍କୁ ଡୋରାବିଶ ନିବାସୀ ସ୍ୱର୍ଗତ ଶିବରାମ ସିଂହଙ୍କ ତତ୍ତ୍ୱାବଧାନରେ ଛାଡ଼ିଲେ । ସେହିଦିନଠାରୁ ପାଣିଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଫୁଲଗୁନ୍ଥା ଗୋରୁଚରା କାମ ପରେ ଟ୨୪ଙ୍କା ବେତନରେ ଇଂରାଜୀ ବିଦ୍ୟାଳୟରେ ପାଚକରୂପେ ନିଯୁକ୍ତି ପାଇଲେ । ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭୋଳାନାଥ ମିଶ୍ର ତାଙ୍କୁ ୪ର୍ଥ ଶ୍ରେଣୀରେ ନାମଲେଖାଇ ଅବୈତନିକ ଶିକ୍ଷା ଦାନ କରିଥିଲେ । ଷଷ୍ଠ ଶ୍ରେଣୀରେ ତାଙ୍କର ଶିକ୍ଷା ସମାପନ ହୋଇଥିଲା । ମାସିକ ବେତନ ୪ ଟଙ୍କାରେ ସେ ଘରୋଇ ଶିକ୍ଷକ ହେଲେ ।

ରଚନାବଳୀ

ସେ ମାଳିହତା ଗ୍ରାମରେ ଓସ୍ତାଦିରୁ ନାଟକ ଜୀବନ ଆରମ୍ଭ କରିଥିଲେ । ଓସ୍ତାଦ ତଥା ନାଟ୍ୟକାର ହିସାବରେ କ୍ରମେ ପ୍ରସିଦ୍ଧି ଅର୍ଜନ କଲେ । ଗଡ଼ଜାତର ଅଧିକାଂଶ ରାଜ୍ୟ କଲିକତାଟାଟା ଇତ୍ୟାଦି ସ୍ଥାନରେ ଅଭିନୟ କରିଥିଲେ । ଏପରିକି ମୋହନ ଗୋସ୍ୱାମୀ, ଗୋପାଳ ଦାଶ, କୃଷ୍ଣପ୍ରସାଦ ବସୁ, ବାଳକୃଷ୍ଣ ମହାନ୍ତିଙ୍କ ସହ ସେ ବାଦୀଯାତ୍ରା କରିଥିଲେ ।[୧]

ବୈଷ୍ଣବ ପାଣି ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଅନେକ ନାଟକ ଲେଖିଯାଇଛନ୍ତି । ତାଙ୍କ ରଚନାରେ ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା ସ୍ଥାନୀତ । ୧୯୦୩ ମସିହାରେ, ୨୧ ବର୍ଷ ବୟସରେ ସେ ପ୍ରଥମ ନାଟକ ଗୀତାଭିନୟ ‘ମେଘନାଦ ବଧ’ ଲେଖିଥିଲେ ।[୮] ତାହାପରେ ସେ ଅନେକ ଅନ୍ୟାନ୍ୟ ନାଟକ ଲେଖିଯାଇଛନ୍ତି । ତାଙ୍କ ନାଟକରେ ସମାଜରେ ନୀଚ ଜାତି ଭାବେ ଗଣା ଜାତିର ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ବଖାଣ ହୋଇଛି । ସମାଜରେ ନିଶାନିଶାନିବାରଣ ପାଇଁ ସେ ମଧ୍ୟ ନିଜ ରଚନାରେ ଉଲ୍ଲେଖ କରିଛନ୍ତି:

ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ

— ବୈଷ୍ଣବ ପାଣି [୧]

ବୈଷ୍ଣବ ପାଣି ପାଲା ଗାୟକ ଥିବା ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହପୁରାଣ, ଦାଣ୍ଡି ରାମାୟଣ ଓ ବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ପାଇଁ ସେ ଗଣ କବି ଭାବରେ ଜଣାଶୁଣା । ଏଥିରେ ଗଣ ଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।

ଶକୁନ୍ତଳା ଓ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ । ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ଓ ସ୍ୱଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ଛାନ୍ଦ କିଶୋରୀ ବିଳାପ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ୱରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ୱତଃସ୍ପ୍ୱର୍ତ୍ତ ତାଙ୍କର କବିତ୍ୱ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍‌ ହୃଦ୍ୟ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍‌ ବ୍ୟତୀତ ତାଙ୍କର ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତି କବିତା । ସେ ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତି କବିତା ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଶୋକ, ପଞ୍ଜାବ କେଶରୀ ବିୟୋଗ ଓ ଅନ୍ତିମ ଶଯ୍ୟାରେ ମର୍ଦ୍ଦାରବୀ ଅନ୍ୟତମ । ସ୍ୱରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ଓ ଉତ୍କଳକୁ ନେ ସେ ବହୁ ଜାତୀୟବାଦୀ ଗୀତି କବିତା ରଚନା କରିଛନ୍ତି ।

ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ଭି.ପି. ବର ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ୱକୀୟତା ପ୍ରତିପାଦନ କରେ । ତାଙ୍କର ସଚିତ୍ର ସ୍ୱାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣ ଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ହୃଦ୍ୟ ।[୩]

ଗୀତିନାଟ୍ୟ, ଗୀତାଭିନୟ/ସୁଆଙ୍ଗ (ପୌରାଣିକ)

  • ରଙ୍ଗସଭା (ଗୀତିନାଟ୍ୟ)
  • ବ୍ରଜଲୀଳା (ସୁଆଙ୍ଗ)
  • ଧ୍ରୁବ ଚରିତ (ସୁଆଙ୍ଗ)
  • କୀଚକବଧ (ସୁଆଙ୍ଗ)
  • ପ୍ରହଲ୍ଲାଦ ଚରିତ (ଗୀତାଭିନୟ)
  • ଦାଣ୍ଡିପର୍ବ (ଗୀତାଭିନୟ)
  • ଦାନବୀର ହରିଶ୍ଚନ୍ଦ୍ର (ସୁଆଙ୍ଗ)
  • ନଳଦମୟନ୍ତୀ (ଗୀତିନାଟ୍ୟ)
  • ରାବଣ ବଧ (ଗୀତିନାଟ୍ୟ)
  • ମହିଷାସୁର ବଧ
  • ସହସ୍ରା ରାବଣ ବଧ
  • ବାଲ୍ୟଲୀଳା
  • ସୁଭଦ୍ରା ହରଣ
  • ମାଧବ ସୁଲୋଚନା
  • ସାବିତ୍ରୀ ସତ୍ୟବାନ (ସୁଆଙ୍ଗ)
  • ନିକୁଞ୍ଚ ମିଳନ (ସୁଆଙ୍ଗ)
  • ଶ୍ରୀବତ୍ସ ରାଜା ବା ଶନି ଲକ୍ଷ୍ମୀ କଳି
  • ପାର୍ବତୀ ବିବାହ (ସୁଆଙ୍ଗ)
  • ରଘୁ ଅରକ୍ଷିତ ନାବକେଳି (ସୁଆଙ୍ଗ)
  • ଲକ୍ଷ୍ମୀ ପୂଜା (ଗୀତାଭିନୟ)
  • ବକାସୁର ବଧ (ଗୀତିନାଟ୍ୟ)
  • ବକାସୁର ବଧ (ଗୀତିନାଟ୍ୟ)
  • ଦୁର୍ଯ୍ୟୋଧନ ବଧ (ଗୀତିନାଟ୍ୟ)
  • ହରପାର୍ବତୀ ବିଭା (ସୁଆଙ୍ଗ)
  • ଜରାସନ୍ଧ ବଧ
  • ମୁକ୍ତାଚୋରି (ସୁଆଙ୍ଗ)

ଫାର୍ସ

ସୌଦାଗର ଫାର୍ସ, ନାଟୁଆ ମହାନ୍ତି ଫାର୍ସ, ଆଲିବାବା ଫାର୍ସ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ସ, ମା ଡାଆଣୀ-ପୁଅ ମଦୁଆ, କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ସ ଓ ଭୀମାବାଇ ଫାର୍ସ

ଆଧାର