ବଜ୍ରକାପ୍ତା

ସ୍ତନ୍ୟପାୟୀ ପ୍ରାଣୀ

ଭାରତୀୟ ବଜ୍ରକାପ୍ତା (ଇଂରାଜୀ ନାମ Indian pangolin ବା thick-tailed pangolin ବା scaly anteater, ଜୀବବିଜ୍ଞାନ ନାମ Manis crassicaudata) ମୁଖ୍ୟତଃ ଭାରତୀୟ ଉପମହାଦ୍ୱୀପରେ ପରିଲକ୍ଷିତ ଏକ ସ୍ତନ୍ୟପାୟୀ ପ୍ରାଣୀ ।[୨][୩][୪] ନିଜ ପରିବାସରେ ମଧ୍ୟ ଏମାନେ ଖୁବ୍ ବିରଳ ଓ ସାଧାରଣରେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ବଜ୍ରକାପ୍ତାର ଅନ୍ୟ ଉପପ୍ରଜାତିମାନଙ୍କ ପରି ଏହାର ଶରୀର ମଧ୍ୟ ବଡ଼ ବଡ଼ କାତିଯୁକ୍ତ ଯାହା ଏହାର ଶରୀର ପାଇଁ ଏକ ସୁରକ୍ଷା କବଚ ସଦୃଶ କାମ କରେ । ମହାବଳ ବାଘ ପରି ଶିକାରୀ ଜୀବ ବଜ୍ରକାପ୍ତାକୁ ଆକ୍ରମଣ କଲେ ସେ ମୋଡ଼ିମାଡ଼ି ହୋଇ ଏକ କାତିଯୁକ୍ତ ବର୍ତ୍ତୁଳ ପରି ହୋଇଯାଏ । ବଜ୍ରକାପ୍ତାର କାତିର ରଙ୍ଗ ସେ ରହୁଥିବା ସ୍ଥାନର ମାଟିର ରଙ୍ଗ ସଦୃଶ ହୋଇଥାଏ ।[୫]

ବଜ୍ରକାପ୍ତା
ଶ୍ରୀଲଙ୍କାର ଏକ ବଜ୍ରକାପ୍ତା
Conservation status
Endangered (IUCN ୩.୧)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ମାମାଲିଆଫୋର୍ମ୍ସ
ଶ୍ରେଣୀ:ମାମାଲିଆ
Order:Pholidota
Family:Manidae
Genus:Manis
ଉପପ୍ରଜାତି:Manis
ଜାତି:M. crassicaudata
ବାଇନୋମିଆଲ ନାମ
Manis crassicaudata
ଏଟିଏନ୍ ଜିଓଫ୍ରି, ୧୮୦୩

ବଜ୍ରକାପ୍ତା ଏକ କୀଟଭକ୍ଷୀ ଓ ନିଶାଚର ଜୀବ । ମାଟି, ଊଈହୁଙ୍କା, ପଚିସଢ଼ି ଫମ୍ପା ହୋଇଯାଉଥିବା କାଠଗଣ୍ଡି ପ୍ରଭୃତି ତାଡ଼ି ସେଥିରେ ଥିବା ପିମ୍ପୁଡ଼ି, ଊଈମାନଙ୍କୁ ଖାଇଯାଏ । ଏହାର ନଖ ବା ପଞ୍ଝା ତାହାର ଆଗଗୋଡ଼ ପରି ଲମ୍ବା ଓ ଏସବୁ ତାଡ଼ି କୀଟ ଖାଇବାରେ ସହାୟକ ହୋଇଥାନ୍ତି । ଦିନ ବେଳା ଏମାନେ ନିଜ ଗାତ ବା ବସାରେ ବିଶ୍ରାମ କରୁଥାନ୍ତି ।

ଭାରତୀୟ ବଜ୍ରକାପ୍ତାକୁ ସଙ୍କଟାପନ୍ନ (“endangered” ବା “threatened”) ଜୀବଙ୍କ ଶ୍ରେଣୀରେ ରଖାଯାଇଛି । ଲୋକେ ଏମାନଙ୍କୁ ମାରି ମାଂସ ଓ ଶରୀରର ବିଭିନ୍ନ ଅଂଶକୁ ପାରମ୍ପରିକ ଔଷଧରେ ବ୍ୟବହାର କରିଥାନ୍ତି ।[୧]

ବିବରଣୀ

ଭାରତର ଗୁଜରାଟର ଏକ ବଜ୍ରକାପ୍ତା

ବଜ୍ରକାପ୍ତା ଏକାକୀ ରହନ୍ତି, ଧୀର ବେଗରେ ଗତି କରନ୍ତି ଓ ସ୍ୱଭାବରେ ଲାଜକୁଳା ହୋଇଥାନ୍ତି ।[୬] ମୁଣ୍ଡର ଆରମ୍ଭରୁ ଲାଞ୍ଜର ଶେଷ ପର୍ଯ୍ୟନ୍ତ ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୮୪-୧୨୨ ସେଣ୍ଟିମିଟର୍ (୩୩-୪୮ ଇଞ୍ଚ୍) । ଏହାର ଲାଞ୍ଜଟି ପ୍ରାୟ ୩୪ରୁ ୪୭ ସେଣ୍ଟିମିଟର୍ ଲମ୍ବା ଓ ଏହାର ଓଜନ ୧୦ରୁ ୧୬ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ମାଈମାନଙ୍କର ଦୁଇଟି ପହ୍ନା (ବା ସ୍ତନ) ରହିଥାଏ ଓ ଏମାନେ ଆକାରରେ ଅଣ୍ଡିରାମାନଙ୍କଠାରୁ ଛୋଟ ହୋଇଥାନ୍ତି । ବଜ୍ରକାପ୍ତାର ମୁଣ୍ଡଟି କୋନ୍ ଆକୃତିର ହୋଇଥାଏ । ଏମାନଙ୍କ ଆଖି କଳା ଓ ଛୋଟ । ଗୋଜିଆ ମୁହଁର ଅଗ୍ରଭାଗରେ ନାକ ରହିଥାଏ ଯାହାର ରଙ୍ଗ ଦେହର ରଙ୍ଗଠାରୁ ଅଳ୍ପ ଗାଢ଼ । ବଜ୍ରକାପ୍ତାର ଅବୟବଗୁଡ଼ିକ ଶକ୍ତିଶାଳୀ ଏବଂ ଗୋଡ଼ର ପଞ୍ଝାରେ ମୁନିଆ ନଖ ରହିଥାଏ ।[୬] ବଜ୍ରକାପ୍ତା ପ୍ରାୟତଃ କେବଳ ପିମ୍ପୁଡ଼ି ଓ ଊଈ ପରି କୀଟ ହିଁ ଖାଏ । ଗାତ ଓ ହୁଙ୍କାରୁ ପିମ୍ପୁଡ଼ି, ଊଈ ଖାଇବା ପାଇଁ ବଜ୍ରକାପ୍ତାର ଜିଭ ଲମ୍ବା ଓ ଅଠାଯୁକ୍ତ ହୋଇଥାଏ ।[୬] ବଜ୍ରକାପ୍ତାର ଦାନ୍ତ ନାହିଁ ଓ ଏହାର ପେଟରେ ଥିବା ସ୍ୱତନ୍ତ୍ର ମାଂସପେଶୀ ଖାଦ୍ୟ ଜୀର୍ଣ୍ଣ କରିବାରେ ସାହାଯ୍ୟ କରିଥାନ୍ତି ।[୬] ବଜ୍ରକାପ୍ତା ଶରୀରର ବିଶେଷ ଆକର୍ଷଣ ହେଲା ଚାରିପଟେ କବଚ ପରି ରହିଥିବା ଏହାର କାତି । ଗୋଡ଼ ଓ ପେଟକୁ ଛାଡ଼ିଦେଲେ ମୁହଁର ଉପର ଓ ପୁରା ଶରୀର କାତିରେ ଆଚ୍ଛାଦିତ । କେରାଟିନ୍‍ରୁ (ନଖ ପରି ରୂପାନ୍ତରିତ ଚର୍ମ) ତିଆରି ଏହି କାତି ଖୁବ୍ ଟାଣ । ପୁରା ଶରୀରରେ ୧୬୦ରୁ ୨୦୦ କାତି ଥାଏ ଯାହାର ୪୦-୪୬ ଶତକଡ଼ା ଭାଗ ଲାଞ୍ଜରେ ରହିଥାଏ । କେତେକ କାତି ୬.୫-୭ ସେ.ମି. ପର୍ଯ୍ୟନ୍ତ ଲମ୍ବା, ୮.୫ ସେ.ମି. ପର୍ଯ୍ୟନ୍ତ ଓସାରିଆ ଏବଂ ୭-୧୦ ଗ୍ରାମ୍ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି । ଏହି କାତିମାନଙ୍କ ଓଜନ ବଜ୍ରକାପ୍ତାର ସମଗ୍ର ଶରୀରର ଓଜନର ଏକ-ଚତୁର୍ଥାଂଶରୁ ଏକ-ତୃତୀୟାଂଶ ଭାଗ ପର୍ଯ୍ୟନ୍ତ ହୋଇପାରେ ।[୭]

ପରିବାସ

ବିଭିନ୍ନ ପ୍ରକାରର ଜଙ୍ଗଲ ଓ ପରିବାସରେ ଭାରତୀୟ ବଜ୍ରକାପ୍ତା ବାସ କରିପାରେ । ଶ୍ରୀଲଙ୍କାର ବର୍ଷାରଣ୍ୟ, ସମତଳ ଭୂମି ଓ ଏପରିକି ମାଳଭୂମିରେ ମଧ୍ୟ ବଜ୍ରକାପ୍ତା ବାସ କରିବାର ଦେଖାଯାଏ । ତୃଣଭୂମି, ଅଘଞ୍ଚ ଜଙ୍ଗଲ, ମରୁଭୂମି, ଶୁଷ୍କ ଭୂମି ଓ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବଜ୍ରକାପ୍ତା ଦେଖିବାକୁ ମିଳନ୍ତି ।[୮] ଭାରତ, ପାକିସ୍ତାନ ଓ ଦକ୍ଷିଣ-ଏସିଆରେ ଏମାନେ ଦେଖାଯାନ୍ତି । ସିଆଲକୋଟ୍, ଝେଲମ୍, ଗୁଜରାଟ, ପଞ୍ଜାବର ଉତ୍ତର-ପଶ୍ଚିମାଂଶ, କୋହାଟ୍, ଅଟ୍ଟୋକ୍, ଖାଇବର୍, ସିନ୍ଧ୍ ଓ ବେଲୁଚିସ୍ତାନରେ ବଜ୍ରକାପ୍ତା ଦେଖାଯିବାର ଉଲ୍ଲେଖ ରହିଛି ।[୮] ବଜ୍ରକାପ୍ତା ଉଚ୍ଚଭୂମିରେ ରହିବାର ଉଦାହରଣ ମଧ୍ୟ ରହିଛି । ଶ୍ରୀଲଙ୍କାରେ ୧୧୦୦ ମିଟର୍ ଓ ଭାରତର ନୀଳଗିରି ପର୍ବତରେ ୨୩୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ବଜ୍ରକାପ୍ତା ବିଚରଣ କରିବା ଦେଖାଯାଇଛି । ଗାତ ଖୋଳିବା ସହଜ ହୋଇଥିବାରୁ ବଜ୍ରକାପ୍ତା ନରମ ଓ ବାଲିମିଶା ମାଟି ପସନ୍ଦ କରେ ।[୮]

ବଜ୍ରକାପ୍ତାର ଗାତକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିପାରିବା । ଗୋଟିଏ ହେଲା ରହିବା ଗାତ (ବସା) ଓ ଅନ୍ୟଟି ହେଲା ଖାଇବା ପାଇଁ ଖୋଳାଯାଇଥିବା ଗାତ । ଖାଦ୍ୟଗାତଗୁଡ଼ିକ ଅପେକ୍ଷାକୃତ ଛୋଟ ଓ କେତେ କୀଟ ଅଛନ୍ତି ତାହା ଉପରେ ନିର୍ଭର କରିଥାଏ । ଅଧିକ ଶିକାର ମିଳୁଥିବାରୁ ବସନ୍ତ ଋତୁରେ ଏପରି ଗାତ ଅଧିକ ଦେଖିବାକୁ ମିଳେ । ବସାଗୁଡ଼ିକ ଓସାରିଆ, ଗଭୀର ଓ ଗୋଲାକାର ମୁହଁବିଶିଷ୍ଟ । ବଜ୍ରକାପ୍ତା ଏଥିରେ ସାଧାରଣତଃ ବିଶ୍ରାମ, ଶୟନ ଇତ୍ୟାଦି କରେ । କିଛି ମାସ ପରେ ବଜ୍ରକାପ୍ତା ବସା ଛାଡ଼ି ଶିକାର ମିଳୁଥିବା ସ୍ଥାନରେ ଏକ ନୂଆ ବସା ଖୋଳେ । ଆବଶ୍ୟକତା ପଡ଼ିଲେ ବଜ୍ରକାପ୍ତା ନିଜ ପୁରୁଣା ବସାକୁ ମଧ୍ୟ ଫେରିଥାଏ ।[୬]

ଆଫ୍ରିକୀୟ ବଜ୍ରକାପ୍ତା ଗଛ ଚଢ଼ିପାରେ କିନ୍ତୁ ଭାରତୀୟ ବଜ୍ରକାପ୍ତା ଗଛ ଚଢ଼ିପାରେ ନାହିଁ । କିନ୍ତୁ ନିଜ ପରିବାସରେ ଅଧିକ ଗଛ ଓ ବୁଦା ଥିବା ସେ ପସନ୍ଦ କରେ । କାରଣ ଗଛ ଓ ବୁଦା ପାଖରେ ବସା ଖୋଳିବା କିଛି ମାତ୍ରାରେ ସହଜ ହୋଇଥାଏ । ତୃଣଭୂମି, ଗଛର ମୂଳ, ବୁଦା, ପତ୍ରଗଦା, କଟା ଫମ୍ପା ଗଛଗଣ୍ଡି, ହସ୍ତୀମଳ ଇତ୍ୟାଦିରେ ପିମ୍ପୁଡ଼ି ଓ ଊଈର ଉପସ୍ଥିତିର ସମ୍ଭାବନା ସର୍ବାଧିକ ତେଣୁ ବଜ୍ରକାପ୍ତାର ପରିବାସରେ ଏସବୁ ବୈଶିଷ୍ଟ୍ୟ ରହିବା ଅବଶ୍ୟମ୍ଭାବୀ ।[୮]

ଆହାର

ଚାଲିବା ବେଳେ ଏକ ବଜ୍ରକାପ୍ତା

କୀଟଭକ୍ଷୀ ବଜ୍ରକାପ୍ତାର ପ୍ରାଥମିକ ଆହାର ହେଲେ ପିମ୍ପୁଡ଼ି, ଜନ୍ଦା ଓ ଊଈ । ବେଳେବେଳେ ଏମାନେ ଗୋବରା ପୋକ ଓ ଅସରପାଙ୍କୁ ମଧ୍ୟ ଖାଇଯାଆନ୍ତି । ନିଜ ଶିକାର ଜୀବ ସହ ତାହାର ଅଣ୍ଡା, ଲାର୍ଭା ଇତ୍ୟାଦି ମଧ୍ୟ ଏମାନେ ଖାଇପକାନ୍ତି ।[୬] ପଞ୍ଜାବ ଅଞ୍ଚଳର ପୋତୋହାରରେ ବଜ୍ରକାପ୍ତାମାନଙ୍କ ପ୍ରମୁଖ ଆହାର ହେଉଛନ୍ତି ଦୁଇ ପ୍ରକାରର ପିମ୍ପୁଡ଼ି “Camponotus confuci” ଓ “Camponotus compressus” ।[୯] ବଜ୍ରକାପ୍ତା ଖାଇବା ବେଳେ ଛୋଟ ଗୋଡ଼ି, ବାଲି, ମାଟି, ଗଛର ଅଂଶ ଆଦି ମଧ୍ୟ ଖାଇଯାଏ ଓ ପେଟର ସ୍ୱତନ୍ତ୍ର ମାଂସପେଶୀ ଏସବୁକୁ ହଜମ କରିବାରେ ସାହାଯ୍ୟ କରେ । ଭାରତୀୟ ବଜ୍ରକାପ୍ତା ନିଶାଚର ଓ ନିଜର ପ୍ରଖର ଆଘ୍ରାଣଶକ୍ତିଦ୍ୱାରା ଖାଦ୍ୟ ବା ପିମ୍ପୁଡ଼ି, ଊଈଙ୍କ ହୁଙ୍କା ଠାବ କରିବାରେ ସକ୍ଷମ ହୋଇଥାଏ । ଭୂମିରେ ଚାଲବୁଲ କରୁଥିବା କୀଟଙ୍କ ବ୍ୟତୀତ ଶ୍ରୀଲଙ୍କାର ବଜ୍ରକାପ୍ତା ସେଠାକାର ବର୍ଷାରଣ୍ୟର ଗଛମାନଙ୍କରେ ଚଢ଼ି ମଧ୍ୟ ଶିକାର କରେ । ବଜ୍ରକାପ୍ତା ପିମ୍ପୁଡ଼ି ବସା ବା ଊଈ ହୁଙ୍କାକୁ ନିଜ ଆଗ ଗୋଡ଼ର ମୁନିଆ ନଖ ସାହାଯ୍ୟରେ ଖୋଳି ବିଦାରି ଦିଏ । ଢିଲା ମାଟିକୁ ପଛ ଗୋଡ଼ ସାହାଯ୍ୟରେ ପଛପଟକୁ ଫିଙ୍ଗିଦିଏ ।[୧୦] ଖାଇବା ବେଳେ ବଜ୍ରକାପ୍ତାର ଜିଭ ତୀବ୍ର ବେଗରେ କୀଟମାନଙ୍କୁ ଶୋଷି ଚାଲିଥାଏ । ପାଣି ପିଇବା ବେଳେ ବି ଜିଭ ଠିକ୍ ସେହିପରି ବ୍ୟବହୃତ ହୁଏ ।[୬] ଯନ୍ତାରେ ପୋଷା ହୋଇ ରହିଥିବା କେତେକ ବଜ୍ରକାପ୍ତାମାନଙ୍କ ପାଇଁ ଲାଲ୍ ବୁଣକାର ପିମ୍ପୁଡ଼ି (Oecophylla smaragdina) ଓ ସେମାନଙ୍କ ଅଣ୍ଡା ପ୍ରିୟ ଖାଦ୍ୟ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ।[୧୦]

ପ୍ରଜନନ

ବଜ୍ରକାପ୍ତାର ବିଭିନ୍ନ ବ୍ୟାବହାରିକ ଭଙ୍ଗୀ

ବଜ୍ରକାପ୍ତାମାନଙ୍କ ପ୍ରଜନନ ବିଷୟରେ ସବିଶେଷ ତଥ୍ୟ ଅଦ୍ୟାବଧି ଉନ୍ମୋଚିତ ହୋଇନାହିଁ । ସହବାସ ଋତୁରେ ଅଣ୍ଡିରା ଓ ମାଈ ମିଶି ଏକ ଗାତରେ ରହିପାରନ୍ତି ଏବଂ କିଛି କାମ ଦିନବେଳା ମଧ୍ୟ କରିଥାଆନ୍ତି । ଅଣ୍ଡିରାଙ୍କ ଶୁକ୍ରଗ୍ରନ୍ଥି ପଛ ଗୋଡ଼ ନିକଟରେ ଚର୍ମର ଏକ ପରସ୍ତ ମଧ୍ୟରେ ରହିଥାଏ । ମାଈର ରେଚକ ନଳୀ ନିକଟରେ ହିଁ ଭୃଣର ଗଠନ ଓ ବୃଦ୍ଧି ହୁଏ । ଏମାନଙ୍କ ଗର୍ଭଧାରଣ ସମୟ ୬୫ରୁ ୭୦ ଦିନ । ଅଧିକାଂଶରେ ମାଈ ବଜ୍ରକାପ୍ତା ଗୋଟିଏ ଓ ସମୟେ ସମୟେ ଯମଜ ଶାବକଙ୍କୁ ଜନ୍ମ ଦିଏ ।[୧୧] ଜନ୍ମ ସମୟରେ ଶାବକର ଓଜନ ୨୩୫ରୁ ୪୦୦ ଗ୍ରାମ୍ ଓ ଲମ୍ବ ୩୦ ସେ.ମି. ଯାଏଁ ହୋଇଥାଏ । ନବଜାତ ଶାବକର ଆଖି ଖୋଲାଥାଏ ଓ ତା’ ଶରୀରରେ କୋମଳ କାତି ରହିଥାଏ । ମା’ ଲାଞ୍ଜ ଉପରେ ନିଜ ଶାବକକୁ ଧରି ରଖି ବୁଲାବୁଲି କରେ ।[୧୨] କୌଣସି ଅସୁବିଧା ପଡ଼ିଲେ ଶାବକ ବଜ୍ରକାପ୍ତା ମା’ର ପେଟ ଓ ଲାଞ୍ଜଦ୍ୱାରା ଘୋଡ଼େଇ ହୋଇ ରହିଥାଏ । [୧୨]

କୋଲକାତାର ଅଲିପୁର ଚିଡ଼ିଆଘର,[୧୩] ଓକ୍ଲାହାମା ଚିଡ଼ିଆଘର[୧୪]ନନ୍ଦନକାନନ ଜୀବ ଉଦ୍ୟାନ[୧୦][୧୫][୧୬] ଆଦିରେ ସଫଳ ଭାବେ ବଜ୍ରକାପ୍ତାଙ୍କ ମିଳନ ଓ ପ୍ରଜନନ କରାଯାଇପାରିଛି ।

ଗର୍ଭବତୀ ଥିବା ସମୟରେ ମାଈ ବଜ୍ରକାପ୍ତାର ଶରୀରରେ ସେପରି କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ । ବନ୍ଦୀ ହୋଇ ରହିଥିବା ବଜ୍ରକାପ୍ତା ମଇ ଓ ଜୁନ୍‍ ମାସ ଛଡ଼ା ଅନ୍ୟ ସବୁ ମାସରେ ପ୍ରଜନନ କରିବାର ଦେଖାଯାଇଛି ।[୧୦] ଜନ୍ମ ସମୟରେ ଓକ୍ଲାହାମା ଚିଡ଼ିଆଖାନାର ଏକ ଭାରତୀୟ ବଜ୍ରକାପ୍ତା ଶାବକର ଓଜନ ୨୩୫ ଗ୍ରାମ୍, ୧୨.୫ ସେ.ମି. ଲମ୍ବା ଲାଞ୍ଜ ସହିତ ସମଗ୍ର ଶରୀରର ଦୈର୍ଘ୍ୟ ପ୍ରାୟ ୩୦ ସେ.ମି. ରହିଥିଲା ।[୧୫] ଓକ୍ଲାହାମା ଚିଡ଼ିଆଘରର ଆଉ ଏକ ବଜ୍ରକାପ୍ତା ଜନ୍ମ ସମୟରେ ୩୧୦ ମିମି ଲମ୍ବର ଓ ୧୨୫ ମିମି ଲାଙ୍ଗୁଡ଼ବିଶିଷ୍ଟ ଥିଲା ।[୧୪]

ବ୍ୟବହାର

ଗୁଜରାଟର ଗିର୍ ଜାତୀୟ ଉଦ୍ୟାନରେ ନିଜକୁ ଦୁଇଟି ଏସୀୟ ସିଂହଙ୍କଠାରୁ ରକ୍ଷା କରୁଥିବା ବଜ୍ରକାପ୍ତା

ଭାରତୀୟ ବଜ୍ରକାପ୍ତା ଏକାକୀ ରୁହେ, ମୁଖ୍ୟତଃ ନିଶାଚର ଓ ନିଜର କ୍ଷେତ୍ର ନିୟନ୍ତ୍ରଣ କରେ । ଶ୍ରୀଲଙ୍କାର ବର୍ଷାରଣ୍ୟରେ ଏହି ପ୍ରଜାତିର ବଜ୍ରକାପ୍ତା ଗଛ ମଧ୍ୟ ଚଢ଼ିପାରନ୍ତି । ଏମାନେ ନିଜେ ନିଜର ବସା ତିଆରି କରନ୍ତି ଓ ବସା ପାଇଁ ଭୂମି ଭିତରକୁ ପ୍ରାୟ ୧.୫ରୁ ୬ ମିଟର୍ ଗଭୀର ଗାତ ଖୋଳିଥାନ୍ତି । ବସାମାନ ବଡ଼ ବଡ଼ ପଥର ତଳେ ରହିଥାଏ ଓ ଢିଲା ମାଟି ପକାଇ ବସାର ମୁହଁ ଆଂଶିକ ରୂପେ ବନ୍ଦ ଥାଏ । ବିପଦର ଆଭାସ ମିଳିଲେ ବଜ୍ରକାପ୍ତା ଗୁଡ଼େଇ ଓ ମୋଡ଼ି ହୋଇ ଏକ କାତିଯୁକ୍ତ ବର୍ତ୍ତୁଳରେ ପରିଣତ ହୋଇଯାଏ । ଲାଞ୍ଜଟି ଏହି ସମୟରେ ମୁହଁ ସହିତ ଚିପି ହୋଇ ରହିଥାଏ । ବନ୍ଦୀ ଅବସ୍ଥାରେ ଏମାନେ ୧୯ ବର୍ଷ ପର୍ଯ୍ୟନ୍ତ ବଢ଼ିପାରନ୍ତି ।

ନିଶାଚର ଓ ଗୋପନରେ ଚଳପ୍ରଚଳ କରୁଥିବାରୁ ଏମାନଙ୍କୁ ଜଙ୍ଗଲରେ ଦେଖିବା କଷ୍ଟକର । ଡରିଗଲେ ବା ରାଗିଲେ ସେମାନେ ସୁ-ସୁ ଧ୍ୱନିରେ ଗର୍ଜ୍ଜନ କରନ୍ତି । M. crassicaudata ପ୍ରଜାତିର ମଳଦ୍ୱାରସ୍ଥ ଗ୍ରନ୍ଥିରୁ ଏକ ତରଳ ପଦାର୍ଥ କ୍ଷରଣ ହୁଏ ଯାହା ପ୍ରତିରକ୍ଷା ବା ସୀମା ନିର୍ଦ୍ଧାରଣ ପାଇଁ ବ୍ୟବହୃତ ହେଉଥିବା ସମ୍ଭବପର ।

ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଜ୍ରକାପ୍ତାଗୁଡ଼ିକ ସକ୍ରିୟ ରହନ୍ତି । ରାତି ୮ରୁ ୯ଟା ବେଳକୁ ଏମାନଙ୍କ କାର୍ଯ୍ୟକଳାପ ବଢ଼ିଯାଏ । [୧୭] ତେବେ ଏଥିରେ କିଛି ବ୍ୟତିକ୍ରମ ମଧ୍ୟ ଘଟିପାରେ ।

ମନୁଷ୍ୟଙ୍କ ସହ ସମ୍ପର୍କ ଓ ସଂରକ୍ଷଣ ସ୍ଥିତି

ଉଦ୍ଧାର କରାଯାଇଥିବା ଏହି ବଜ୍ରକାପ୍ତାଟିକୁ ଉତ୍ତର ଗୁଜରାଟରେ ଛଡ଼ା ଯାଇଥିଲା

ବହୁ ଦେଶରେ ଆଇନ ଅନୁଯାୟୀ ବଜ୍ରକାପ୍ତା ଏକ ସଂରକ୍ଷିତ ଜୀବ ହେଲେ ହେଁ ମାଂସ, କାତି ଓ ଚମଡ଼ା ପାଇଁ ବହୁମାତ୍ରାରେ ଏହାର ହତ୍ୟା କରାଯାଇଥାଏ । ଗତ ୨୦ ବର୍ଷରେ ବଜ୍ରକାପ୍ତା ଶରୀରକୁ ନେଇ ଅବୈଧ କାରବାର ବୃଦ୍ଧି ପାଇଛି ।[୮] ଅନ୍ତର୍ଜାତୀୟ ଓ ସ୍ଥାନୀୟ ବ୍ୟବସାୟିକ ଚାହିଦାକୁ ମେଣ୍ଟାଇବା ପାଇଁ ଏମାନଙ୍କ ଶିକାର କରାଯାଉଛି ଓ ଫଳରେ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏକାବେଳକେ ମାଈ ବଜ୍ରକାପ୍ତା କେବଳ ଗୋଟିଏ ଶାବକ ଜନ୍ମ କରୁଥିବାରୁ ଓ ଶିକାର ବଢ଼ି ଚାଲିଥିବାରୁ ବଜ୍ରକାପ୍ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ହେଲାଣି ।[୧] ବଜ୍ରକାପ୍ତା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖାଦ୍ୟ ଅଥବା ଔଷଧରେ ବ୍ୟବହାର କରାଯାଏ । ବଜ୍ରକାପ୍ତାର କାତି କାମୋଦ୍ଦୀପକ ଔଷଧ କିମ୍ବା ତାବିଜ ତିଆରିରେ ବ୍ୟବହୃତ ହୁଏ । ଚମଡ଼ାରୁ ଯୋତା, ଚପଲ ଆଦି ପ୍ରସ୍ତୁତ କରାଯାଇଥାଏ ।[୬] ଅନୁଭବୀ ସ୍ଥାନୀୟ ଶିକାରୀ ଓ ଯାଯାବରମାନେ ଅଧିକାଂଶରେ ବଜ୍ରକାପ୍ତାମାନଙ୍କ ଶିକାର କରିଥାନ୍ତି ।[୭]

CITES-ସଂରକ୍ଷିତ ସ୍ତନ୍ୟପାୟୀ ପ୍ରାଣୀଙ୍କ ତାଲିକାରେ ସର୍ବାଧିକ ବ୍ୟବସାୟ ବା ଆମଦାନୀ-ରପ୍ତାନୀ ହେଉଥିବାପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ପ୍ରମୁଖ ।[୧୮] ଚୀନୀ ପାରମ୍ପରିକ ଔଷଧ ପାଇଁ ଅନ୍ୟ ଦୁଇ ପ୍ରକାରର ଏସୀୟ ପ୍ରଜାତି (ମାଳୟ ବଜ୍ରକାପ୍ତା ଓ ଚୀନୀ ବଜ୍ରକାପ୍ତା) ମଧ୍ୟ ବହୁ ସଂଖ୍ୟାରେ ହ୍ରାସ ପାଇଯାଇଛନ୍ତି ।[୧]

ବଜ୍ରକାପ୍ତାର ପ୍ରଚଳିତ ସାମାନ୍ୟ ନାମ

ବିଭିନ୍ନ ଭାଷାରେ ବଜ୍ରକାପ୍ତାର ନାମଗୁଡିକ ହେଲା :

  • ମରାଠୀ : खवल्या मांजर (ଖୱଲ୍ୟା ମାଂଜର)
  • ଛତିଶଗଡ଼ୀ : ଶାଲ୍ ଖପରି
  • ଅହମିଆ ବା ଆସାମୀୟ : বন-ৰৌ (ବୋନ୍-ରୋଉ)
  • ତେଲୁଗୁ : “ପୋଲୁସୁ ପଣ୍ଡି” ବା “ନେଲା ଚେପା”
  • ମାଲାୟାଲମ୍ : ഈനാംപേച്ചി (ଈନାମ୍ପେଚି)
  • ତାମିଲ : அலங்கு (“ଆଳୁଙ୍ଗୁ” ବା “ଆଲାଙ୍ଗୁ”)
  • ସିଂହଳୀ : କବାଲେୱା
  • କନ୍ନଡ଼ : ಚಿಪ್ಪು ಹಂದಿ (ଚିପ୍ପୁ ହାଣ୍ଡି) [୧୯]

ଆଧାର