ଫାଷ୍ଟ ଏଡ୍

ଫାଷ୍ଟ ଏଡ୍ ଏକ ସାହାଯ୍ୟର ନାମ ଯାହା ହଠାତ୍ ରୋଗ‌ଗ୍ରସ୍ତ ବା ଆଘାତପ୍ରାପ୍ତ ଯେ କୌଣସି ଲୋକ‌କୁ ଦିଆଯାଏ,[୧] ଜୀବନ ବଞ୍ଚେଇବା ନିମନ୍ତେ, ଅବସ୍ଥା ଖରାପ ଦିଗକୁ ଯିବାକୁ ପ୍ରତିରୋଧ କରିବା ଓ ପୁନଃ ସ୍ୱାସ୍ଥ୍ୟ ଲାଭ ନିମନ୍ତେ ସାହାଯ୍ୟ କରାଯାଏ । ଜଟିଳ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ପାଇବା ପୂର୍ବରୁ ପ୍ରାଥମିକ ସେବା ଉପଲବ୍‌ଧ କରେଇବା ଯେପରିକି ଆମ୍ବୁଲାନ୍ସ ଆସିବା ପୂର୍ବରୁ ହୃତ୍‌ପିଣ୍ଡ-ଫୁସଫୁସ ପୁନଃସ୍ଥାପନ (ସିପିଆର) କରିବା ଓ ଛୋଟ ଅବସ୍ଥାରେ ସମ୍ପୁର୍ଣ୍ଣ ଚିକିତ୍ସା କରିବା ଯେପରିକି କ୍ଷତ ଚିକିତ୍ସା ବା ହାଡ଼ ଭାଙ୍ଗିଥିଲେ ପ୍ଲାଷ୍ଟର ଲଗେଇବା ଇତ୍ୟାଦି କରିବାକୁ ହୁଏ । ସାଧାରଣ ଲୋକ ବା ପ୍ରାଥମିକ ଫାଷ୍ଟ ଏଡ୍ ଶିକ୍ଷା ପ୍ରାପ୍ତ ବା ଅନୁଭବପ୍ରାପ୍ତ ଲୋକ ଏହା କରନ୍ତି । ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍ ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।

ଆନ୍ତର୍ଜାତୀୟ ଫାଷ୍ଟ ଏଡ୍ ସଙ୍କେତ
ଜଣେ ଆଘାତପ୍ରାପ୍ତ ଇରାକୀ ନାଗରିକ‌କୁ ସଂଯୁକ୍ତ ରାଷ୍ଟ୍ରର ଜଣେ ପୋଲିସ୍ ଫାଷ୍ଟ ଏଡ୍ ଦେଉଛନ୍ତି ।

ଫାଷ୍ଟ ଏଡ୍ ଆବଶ୍ୟକତା ପରିସ୍ଥିତି ନିମନ୍ତେ ଅନେକ ଦେଶରେ କାନୁନ, ବିନିୟମ (regulation)ଓ ମାର୍ଗ ଦର୍ଶକ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସ୍ଥଳ ବିଶେଷରେ ସର୍ବନିମ୍ନ ଫାଷ୍ଟ ଏଡ୍ ସ୍ତର ବ୍ୟବସ୍ଥା ସମ୍ପନ୍ନ କରାଯାଇଛି । କର୍ମ ସ୍ଥଳୀରେ ନିର୍ଦ୍ଦିଷ୍ଟ ଶିକ୍ଷା ବା ଉପକରଣ ଉପଲବ୍‌ଧ କରାଯାଉଛି ଯେପରିକି ଅଟୋମେଟେଡ ବାହ୍ୟ ଡିଫିବ୍ରିଲେଟର (Automated External Defibrillator), ଜନ ସମାବେଶ ସ୍ଥଳରେ ବିଶେଷଜ୍ଞ ଫାଷ୍ଟ ଏଡ୍ ବ୍ୟବସ୍ଥା, ବା ସ୍କୁଲରେ ବାଧ୍ୟତାମୂଳକ ଫାଷ୍ଟ ଏଡ୍ ଶିକ୍ଷା ଇତ୍ୟାଦି । ଫାଷ୍ଟ ଏଡ୍ ନିମନ୍ତେ ସେମିତି କିଛି ବିଶେଷ ଉପକରଣ ଓ ପୂର୍ବ ଜ୍ଞାନର ଏକାନ୍ତ ଆବଶ୍ୟକତା ନାହିଁ, ଅଣଶିକ୍ଷାପ୍ରାପ୍ତ ଲୋକ ଉପଲବ୍‌ଧ ଉପକରଣମାନଙ୍କରେ ସାହାଯ୍ୟ ନେଇ ଫାଷ୍ଟ ଏଡ୍ ଦେଇପାରିବ ।[୨]

ପଶୁମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଦିଆଯାଇପାରିବ କିନ୍ତୁ ଏହି ପ୍ରବନ୍ଧରେ କେବଳ ମାନବ ନିମନ୍ତେ ଉଦ୍ଦିଷ୍ଟ ।

ସଂକେତ

ଯଦିଓ ଫାଷ୍ଟ ଏଡ୍ ସାଥିରେ ରେଡ କ୍ରସ୍ ସମ୍ପର୍କ ଅଛି ତ‌ଥାପି ରେଡ କ୍ରସ ଚିହ୍ନ ରେଡ କ୍ରସ ସଂସ୍ଥାର ଏକ ଔପଚାରିକ ସଙ୍କେତ । ଜେନେଭା କନ୍‌ଭେନ୍‌ସନ୍ (Geneva Conventions) ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ କାନୁନ ଅନୁସାରେ ଏହାକୁ ଆନ୍ତର୍ଜାତୀୟ ରେଡ କ୍ରସ୍ ଓ ରେଡ କ୍ରେସେଣ୍ଟଦ୍ୱାରା (International Red Cross and Red Crescent) ସରକାରୀ ଏଜେନ୍ସି ବ୍ୟବ‌ହାର ନିମନ୍ତେ ରିଜର୍ଭ ରଖାଯାଇଥାଏ ଓ ଏହାକୁ ଯୁଦ୍ଧ ସମୟରେ ତ‌ଥା ଡାକ୍ତରମାନଙ୍କର ସୁରକ୍ଷା ସଙ୍କେତ ନିମନ୍ତେ ଦିଆଯାଏ । ଅନ୍ୟ କେହି ଏହା ବ୍ୟବ‌ହାର କଲେ ଦଣ୍ଡନୀୟ ହେବେ ।

ଶାଗୁଆ ପୃଷ୍ଠରେ ଧଳା କ୍ରସ୍‌କୁ ଫାଷ୍ଟ ଏଡ୍‌ର ଆନ୍ତର୍ଜାତୀୟ ଚିହ୍ନ ଭାବରେ ସ୍ୱିକୃତି ଦିଆଯାଇଛି ।

ଲକ୍ଷ

ଫାଷ୍ଟ ଏଡ୍‌ର ମୌଳିକ ଲକ୍ଷକୁ ଇଂରାଜୀ ଭାଷାରେ 'ତିନୋଟି ପି' (P) ପଏଣ୍ଟ ଲେଖାଯାଇପାରେ ।:-[୩]

  • ଜୀବନ ସୁରକ୍ଷା (Preserve life): ଏହାର ସର୍ବାଧିକ ଲକ୍ଷ ଜୀବନ ବଞ୍ଚେଇବା ଓ ମୃତ୍ୟୁ ବିପଦକୁ କମେଇବା ।
  • ଅଧିକ କ୍ଷତି ପ୍ରତିରୋଧ (Prevent further harm): ଅଧିକ କ୍ଷତି ହେବା ବିପଦ ବା ଆଶଙ୍କାଠାରୁ ରୋଗୀକୁ ଦୂରରେ ରଖିବା ଓ ଅଧିକ କ୍ଷତି ନ ହେବ ନିମନ୍ତେ ଫାଷ୍ଟ ଏଡ୍ ପ୍ରୟୋଗ କରିବା ଏହାର ଲକ୍ଷ । ଉଦାହରଣ ସ୍ୱରୁପ ରକ୍ତ ସ୍ରାବର ବିପଦ ଜନ‌କ ସମ୍ଭାବନା ଏଡ଼େଇବାକୁ କ୍ଷତ ସ୍ଥାନରେ ଚାପ ପ୍ରୟୋଗ କରିବା ।
  • ଆରୋଗ୍ୟ ସ‌ହାୟତା (Promote recovery): କ୍ଷତ ସ୍ଥାନରେ ଡ୍ରେସିଙ୍ଗ ଦେଇ ବା ହାଡ଼ ଭାଙ୍ଗିଥିଲେ ଏକ ସାହାଯ୍ୟକାରୀ ପ୍ଲାଷ୍ଟର ଦେଇ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ଏହାର ଲକ୍ଷ ।

ପ୍ରଶିକ୍ଷଣ

ଫାଷ୍ଟ ଏଡ୍ ପ୍ରଶିକ୍ଷଣର ଅଗ୍ରଗତି

ଜୀବନରେ ଆଡ‌ହେସିଭ୍ ବ୍ୟାଣ୍ଡେଜ ବ୍ୟବ‌ହାର ବା ରକ୍ତସ୍ରାବ ସ୍ଥାନରେ ଚାପ ପ୍ରୟୋଗ ଭଳି କେତେକ ମୌଳିକ କର୍ମ ବୟସ ଅନୁସାରେ ମନୁଷ୍ୟର ଶିକ୍ଷା ହୋଇଯାଏ । ପ୍ରଭାବଶାଳୀ ଜୀବନ ରକ୍ଷାକାରୀ ଫାଷ୍ଟ ଏଡ୍ ଦେବା ନିମନ୍ତେ ଉପ‌ଯୁକ୍ତ ଶିକ୍ଷା ଓ ବ୍ୟବ‌ହାରିକ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଆବଶ୍ୟକ । ସାଂଘାତିକ ରୋଗ ଓ ଆଘାତ ନିମନ୍ତେ ଏହି ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ । ଆପତ୍ କାଳୀନ ଅବସ୍ଥା ଉପୁଜିବା ପୂର୍ବରୁ ପ୍ରଶିକ୍ଷଣ ଅଧିକ ଉପକାରୀ ହୁଏ ଓ ଅନେକ ଦେଶମାନଙ୍କରେ ଫୋନରେ ଆମ୍ବୁଲାନ୍ସ ଆସିବା ନିମନ୍ତେ ଫୋନ କରିବା ସମୟରେ ଏହାର ଦାୟିତ୍ୱରେ ଥିବା ଲୋକ ଗାଡ଼ି ପଠେଇବା ପୂର୍ବରୁ ଫୋନ ମାଧ୍ୟମରେ ମୌଳିକ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।

ପାଠ୍ୟକ୍ରମ ପ୍ରଶିକ୍ଷଣ ପରେ ସାର୍ଟିଫିକେଟ ଦିଆଯାଏ । ଫାଷ୍ଟ ଏଡ୍ ପଦ୍ଧତିରେ ନୂଆ ନୁଆ ତ‌ଥ୍ୟ ଆବିଷ୍କାର ଯୋଗୁ ପ୍ରଶିକ୍ଷିତ ଲୋକଙ୍କୁ ପୁନଃ ପ୍ରଶିକ୍ଷଣ ଆବଶ୍ୟକ ହୁଏ ଓ ନୂଆ ସାର୍ଟିଫିକେଟ ଦିଆଯାଏ । ରେଡ କ୍ରସ ଓ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଂସ୍ଥା ବ୍ୟତୀତ କେତେକ ବ୍ୟବସାୟିକ ସଂସ୍ଥା ଏହି ଫାଷ୍ଟ ଏଡ୍ ପ୍ରଶିକ୍ଷଣ କିଛି ମୂଲ୍ୟ ବିନିମୟରେ ଦିଅନ୍ତି । କର୍ମସ୍ଥଳୀରେ କର୍ମଚାରୀମାନଙ୍କୁ ଫାଷ୍ଟ ଏଡ୍ ଶିକ୍ଷା ଦେବା ଅତି ସାଧାରଣ କଥା ।


ଆଧାର