ସମ୍ବଲପୁରୀ ଭାଷା

ଓଡ଼ିଶାରେ ପ୍ରଚଳିତ ଏକ ଭାଷା
(କୋଶଳିରୁ ଲେଉଟି ଆସିଛି)

ସମ୍ବଲପୁରୀ ଭାଷା (କୋଶଳୀକୋସଲି ନାମରେ ମଧ୍ୟ ଜଣା) ଏକ ଓଡ଼ିଶାରେ ପଶ୍ଚିମାଞ୍ଚଳରେ କଥିତ ଏକ ଭାଷା ପ୍ରକାର । ଏହା ପଶ୍ଚିମ ଓଡ଼ିଆ, କୋସଲି, ସମଲପୁରୀ ଆଦି ନାମରେ ମଧ୍ୟ ଜଣା ।[୫] କୋଶଳ ଓ କୋଶଳୀ ନିକଟରେ ପ୍ରତିଷ୍ଠିତ ଏକ ବିବାଦୀୟ ନାମ ଓ କୋଶଳ ଅଞ୍ଚଳ ମଧ୍ୟରେ ପୁରାତନ କୋଶଳ ସାମ୍ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।[୬][୭]

ସମ୍ବଲପୁରୀ
ପଶ୍ଚିମ ଓଡ଼ିଆ, କୋଶଲି, କୋଶଳୀ
Native toଭାରତ
ଅଞ୍ଚଳଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହ (ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା)
ମାତୃଭାଷୀ
[୧]
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ପୂର୍ବ
        • ଓଡ଼ିଆ
          • ସମ୍ବଲପୁରୀ
ଓଡ଼ିଆ[୨][୩][୪]
ଭାଷା କୋଡ୍
ISO ୬୩୯-୩spv
ଗ୍ଲୋଟୋଲୋଗsamb1325

ଏହାର ବକ୍ତାମାନେ ସମ୍ବଲପୁରୀକୁ ଏକ ଭିନ୍ନ ଭାଷା ଭାବେ ଗଣନ୍ତି ଓ ଅନ୍ୟମାନେ ଏହାକୁ ଓଡ଼ିଆ ଭାଷାର ଏକ ଉପଭାଷା ଭାବେ ଗଣନ୍ତି ।[୮] ସମ୍ବଲପୁରୀ କହୁଥିବା ଲୋକେ ଆନୁଷ୍ଠାନିକ ଯୋଗାଯୋଗରେ ମାନକ ଓଡ଼ିଆ ବ୍ୟବହାର କରିଥାନ୍ତି ।[୯] ଚାରୋଟି ଜିଲ୍ଲାରେ କଥିତ ପ୍ରକାରକୁ ଭିତ୍ତିକରି ୨୦୦୬ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ସମ୍ବଲପୁରୀରେ ତିନି-ଚତୁର୍ଥାଂଶ ଶବ୍ଦ ମାନକ ଓଡ଼ିଆ ସହ ସମାନ ।[୧୦]

ସମ୍ବଲପୁରୀ ଓଡ଼ିଶାର ନିମ୍ନୋକ୍ତ ଜିଲ୍ଲାରେ କଥିତ: ସମ୍ବଲପୁର (ଏହି ଅଞ୍ଚଳର ମୁଖ୍ୟ ସାଂସ୍କୃତିକ ଏବଂ ବାଣିଜ୍ୟିକ କେନ୍ଦ୍ର ସମ୍ବଲପୁର ସହର), ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା । ସମ୍ବଲପୁରୀ ବକ୍ତାମାନେ ମଧ୍ୟ ପଡ଼ୋଶୀ ଛତିଶଗଡ଼ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବସବାସ କରିଥାନ୍ତି ।

ଲିପି 

ସମ୍ବଲପୁରୀକୁ ଓଡ଼ିଆ ଲିପିରେ ଲେଖାଯାଇଥାଏ । ଅତୀତରେ ଏହାକୁ ଦେବନାଗରୀ ଲିପିରେ ଲେଖାଯାଉଥିଲା ବୋଲି ମତ ପ୍ରକାଶ ପାଇ ପରେ ୨୦ଶ ଶତକ ପରଠାରୁ ଓଡ଼ିଆ ଲିପିରେ ଲେଖା ପ୍ରତିଷ୍ଠା ପାଇଲା । ଅଧୁନା ସାହିତ୍ୟିକ ରଚନାସମୂହରେ ମୁଖ୍ୟତଃ ଓଡ଼ିଆ ବ୍ୟବହାର ହୋଇଛି ।[୧୧]

ସାହିତ୍ୟ

ଉନବିଂଶ ଶତାବ୍ଦୀର ଶେଷ ଯାଏ ସମ୍ବଲପୁରୀ ଭାଷାରେ କୌଣସି ଲିଖିତ ସାହିତ୍ୟ ନଥିଲା । ଏହି ଭାଷାରେ ଲିଖିତ କିଛି ପ୍ରସ୍ତର ଖୋଦନ, ତାମ୍ର  ଫଳକ କିମ୍ବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । ୧୮୯୧ ମସିହାରେ ଦେବଗଡ ରାଜ୍ୟରୁ ପ୍ରକାଶିତ ସମ୍ବଲପୁର ହିତୈଶିଣୀକୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି ଗ୍ରହଣ କରାଯାଏ ।[୧୨] ଏଥିରେ ମଧୁସୂଦନ ନାମକ ବ୍ୟକ୍ତିଙ୍କଦ୍ୱାରା ଲିଖିତ ସମ୍ବଲପୁର ଅଞ୍ଚଳର ପ୍ରାଚୀନ କବିତା ନାମରେ ଏକ କବିତା ପ୍ରକାଶିତ ହୋଇଥିଲା । ତାହାର ଏକ ଅଂଶ ଏହିପରି ,

"କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ 

ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "

" ଦିଶୁ ଥିସୀ କାଳିଆ ତାର୍ ତାର୍ 

ପିନ୍ଧି ଥିସୀ ହଳଦିଆ ଜର୍ ଜର୍

ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

ତାହାପରେ ୧୯୦୦ ମସିହାରୁ ୧୯୧୦ ମସିହା ମଧ୍ୟରେ ଭୁଲାମନ ଚଉତିଶା, ଯତନ ନାମକ ଜଣେ ବ୍ୟକ୍ତିଙ୍କଦ୍ୱାରା ରଚିତ ହେଇଥିଲା । 

ସେହି ସମୟ କାଳ ମଧ୍ୟରେ ଚଇତନ ଦାସଙ୍କଦ୍ୱାରା "ଚଢ଼େଇ ଚଉତିଶା" ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "ଗୁଣ୍ଡିଆ" , "ଗଉଡ ଗମନ" , "କୁମ୍ଭାର ପସରା" ଓ "ସୁନାରି ପସରା " ନାମର ଲେଖନ ପ୍ରକାଶିତ କରିଥିଲେ । ୧୯୧୫ରୁ ୧୯୨୫ ମସିହା ମଧ୍ୟରେ "ଲକ୍ଷ୍ମଣ ପତି ଓ କପିଲେଶ୍ବର ମହାପାତ୍ର ମଧ୍ୟ କିଛି ସମ୍ବଲପୁରୀ ଲେଖାବଳି ପ୍ରକାଶ କରିଥିଲେ । 

ଏହି କ୍ରମରେ ୧୮୯୧ ମସିହାରୁ ୧୯୪୭ ମସିହା ଯାଏଁ ୩୫ଟି ସମ୍ବଲପୁରୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । [୧୩] ୧୮୯୧ ପୂର୍ବବର୍ତ୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ । ୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ସେ ସମ୍ବଲପୁରୀ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମାନ ପ୍ରକାଶ କରିଥିଲେ । ସେହିପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ନରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ୍ଣ ନୁହେଁ ) 

  1. ସତ୍ୟନାରାୟଣ ବହିଦାର (୧୯୧୩-୧୯୮୦) - ତାଙ୍କର ପ୍ରଥମ କବିତା "ଅନୁଭୂତି" ୧୯୩୧ ମସିହାରେ ପ୍ରକାଶିତ ହେଇଥିଲା । ସେ ୧୧୯ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ ।[୧୪]
  2. ଖଗେଶ୍ୱର ସେଠ - ସେ "ପାଏର୍ଚ୍ଛା ସତୀ" ୧୯୪୯ ମସିହାରେ ଲେଖିଥିଲେ ।
  3. ଇନ୍ଦ୍ରମଣି ସାହୁ (୧୯୨୩-୨୦୦୬‌) - ସେ "ଝରମଲ୍ଲୀ" (୧୯୫୩) ଏବଂ "କୋଶଳୀ ରାମାୟଣ" (୧୯୯୭) ଲେଖିଥିଲେ ।
  4. ହଳଧର ନାଗ (ଜନ୍ମ: ୩୧ ମାର୍ଚ୍ଚ ୧୯୫୦) - ସମ୍ବଲପୁରୀ ଭାଷାକୁ ସେ ବରଦାନ ସଦୃଶ ।[୧୫] ସେ ବିଭିନ୍ନ ସମ୍ବଲପୁରୀ କବିତା ଲେଖିଛନ୍ତି, ଯଥା: "ମହାସତୀ ଉର୍ମିଳା", "ଅଛିଆ" ଇତ୍ୟାଦି । ତାଙ୍କ ଲେଖାଗୁଡ଼ିକ ଏକାଠି ଗୁନ୍ଥାଯାଇ "ଲୋକକବି ହଳଧର ଗ୍ରନ୍ଥାବଳୀ" ଏବଂ "ସୁରାଟ" ପ୍ରସ୍ତୁତ କରାଯାଇଛି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଆଭୂଷିତ କରାଯାଇଥିଲା ।[୧୬]

ଆଧାର