କେଶବ ସ୍ୱାଇଁ

ଭାରତୀୟ ପ୍ରଦର୍ଶନ କଳାକାର

କେଶବ ସ୍ୱାଇଁ, ନିଜ କହୁଣିରେ, ଆଣ୍ଠୁରେ ତଥା ମୁଣ୍ଡରେ ପଇଡ ଭାଙ୍ଗି ଗୋଟିକ ପରେ ଗୋଟିଏ ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରି ଚାଲିଥିବା ଜଣେ ନିଆରା କଳାକାର । [୧] କୌଣସି ପ୍ରଶିକ୍ଷଣ ଗ୍ରହଣ କରିନଥିବା, କେଶବ କେବଳ ଅନ୍ୟମାନଙ୍କୁ ଅନୁକରଣ କରି ବିଭିନ୍ନ ମାର୍ଶାଲ୍ ଆର୍ଟକୁ ଆୟତ୍ତ କରିପାରିଛନ୍ତି । ବର୍ତ୍ତମାନ, ସେ ମାର୍ଶାଲ୍ ଆର୍ଟ ଓ ନେଚୋରପ୍ୟାଥିକୁ ପାଥେୟ କରି, ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।

କେଶବ ସ୍ୱାଇଁ
ଜନ୍ମ
ଜାତୀୟତା ଭାରତୀୟ
ପ୍ରସିଦ୍ଧିକଳାକାର

ଅବିଭକ୍ତ ଗଞ୍ଜାମ ଜିଲାର ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ଗ୍ରାମର ଏକ ଗରିବ ପରିବାରରେ , କେଶବ ଜନ୍ମଗ୍ରହଣ କରିଥିଲେ । ୪ ଭଉଣୀ ଓ ୩ ଭାଇଙ୍କୁ ନେଇ ତାଙ୍କ ପରିବାରରେ ମୁଠାଏ ଖାଇବାକୁ ନଥିଲା । ଇଚ୍ଛା ଥିବା ସତ୍ତ୍ୱେ, ଅର୍ଥାଭାବ ଯୋଗୁ, କେଶବ ପାଠ ପଢିପାରି ନଥିଲେ । ଜୀବନରେ କିଛି କରିବାକୁ ନିଷ୍ପତି ନେଇ, ୧୬ ବର୍ଷ ବୟସରେ ସେ ଘର ଛାଡିଥିଲେ । ହାତରେ ୫ ଟଙ୍କା ଓ ଖଣ୍ଡିଏ ଗାମୁଛା ଧରି, ସେ ବ୍ରହ୍ମପୁର ଷ୍ଟେସନରୁ ରେଳଗାଡିରେ ଚଢିଗଲେ । ଅନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳ ଉଦ୍ଦେଶ୍ୟରେ ବାହାରି, କେଶବ ପ୍ରଥମେ ହୁବୁଳି ଓ ତାପରେ ଗୋଆରେ ପହଞ୍ଛିଥିଲେ । ଅଜଣା ସ୍ଥାନରେ, କ୍ଷୁଧା ନିବାରଣ ପାଇଁ ତାଙ୍କ ପାଖରେ କିଛି ସାଧନ ନଥିଲା । ଏହି ଅବସ୍ଥାରେ, ଗଛ ଚଢିବାରେ ଧୁରନ୍ଧର କେଶବ ନଡ଼ିଆ ଗଛ ଦେଖି ଚଢିଗଲେ ଓ ନଡ଼ିଆ ତୋଳିଆଣିଲେ । କିନ୍ତୁ ନଡ଼ିଆ ଛଡେଇବା ଉପାୟ ନପାଇ, ନିଜ କହୁଣିରେ ନଡ଼ିଆ ଭାଙ୍ଗିବାକୁ ଲାଗିଲେ । ଏହାଦ୍ୱାରା ତାଙ୍କ କ୍ଷୁଧା ନିବାରଣ ତ ହେଲା ତା ସହିତ ତାଙ୍କ ଭିତରେ ଏକ ଅଦ୍ଭୁତ ଆତ୍ମ ବିଶ୍ୱାସ ଜାଗ୍ରତ ହେଲା ଯେ ସେ କହୁଣିରେ ନଡ଼ିଆ ଭାଙ୍ଗିପାରନ୍ତି । ଏହି କୌଶଳକୁ ସେ ଅଭ୍ୟାସଦ୍ୱାରା ଆହୁରି ମାର୍ଜିତ କଲେ ଓ ଲୋକମାନଙ୍କ ଆଗରେ ନିଜ କଳା ପରିବେଷଣ କରିବାକୁ ଲାଗିଲେ । ଏହି କଳା ସେ ଗୋଆ, ବମ୍ବେ, ସୁରତ,ବ୍ରହ୍ମପୁରରେ ପରିବେଷଣ କରି, ବର୍ତ୍ତମାନ ଭୁବନେଶ୍ୱରକୁ ନିଜ କର୍ମଭୂମି ଭାବରେ ବାଛିନେଇଛନ୍ତି ।

ରେକର୍ଡ

  • ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ : ମାତ୍ର 52.5 ସେକେଣ୍ଡରେ 85ଟି ପଇଡ କହୁଣିରେ ଭାଙ୍ଗିଲେ(୨୯/୦୨/୨୦୧୨)
  • ଲିମ୍କା ବୁକ୍ ଅଫ ୱାର୍ଲ୍ଡ ରେକର୍ଡ : 8 ମିନିଟ୍ 56 ସକେଣ୍ଡରେ 250ଟି ପଇଡ କହୁଣିରେ ଭାଙ୍ଗିଲେ(୨୦୧୧)
  • ଲିମ୍କା ବୁକ୍ ଅଫ ୱାର୍ଲ୍ଡ ରେକର୍ଡ : 6 ମିନିଟ 3 ସକେଣ୍ଡରେ 189ଟି ପଇଡ କହୁଣିରେ ଭାଙ୍ଗିଲେ(୨୦୧୦)
  • ଲିମ୍କା ବୁକ୍ ଅଫ ୱାର୍ଲ୍ଡ ରେକର୍ଡ : 6 ମିନିଟ୍ 2 ସକେଣ୍ଡରେ168ଟି ପଇଡ କହୁଣିରେ ଭାଙ୍ଗିଲେ(୨୦୦୯)
  • ଲିମ୍କା ବୁକ୍ ଅଫ ୱାର୍ଲ୍ଡ ରେକର୍ଡ : 6 ମିନିଟ୍ 22 ସେକେଣ୍ଡରେ 170ଟି ପଇଡ କହୁଣିରେ ଭାଙ୍ଗିଲେ(୨୦୦୮)
  • ଲିମ୍କା ବୁକ୍ ଅଫ ୱାର୍ଲ୍ଡ ରେକର୍ଡ : 7 ମିନିଟ୍ 26 ସେକେଣ୍ଡରେ 135ଟି ପଇଡ କହୁଣିରେ ଭାଙ୍ଗିଲେ(୨୦୦୭)

୨୦୦୮ ମସିହା ଜାନୁଆରୀ ୨୧ ତାରିଖ ଦିନ, ଭୁବନେଶ୍ୱରର କଳ୍ପନା ଛକରେ ଏକ ଜଳନ୍ତା ବସର କାଚ ଝରକାକୁ ନିଜ କହୁଣିରେ ଭାଙ୍ଗି, ସେହି ଝରକା ବାଟେ ସେ ପ୍ରାୟ ଡଜନରୁ ଅଧିକ ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିପାରିଥିଲେ । ଏହି ସାହସିକ କାର୍ଯ୍ୟ ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । [୨]

ଆଧାର