କୁଜି ବାଟହଣା ପକ୍ଷୀ

କୁଜି ବାଟହଣା ପକ୍ଷୀ (ଇଂରାଜୀ ଭାଷାରେ small pratincole ବା little pratincole ବା small Indian pratincole, ଜୀବବିଜ୍ଞାନ ନାମ Glareola lactea) ଏକ କ୍ଷୁଦ୍ରାକାର ପକ୍ଷୀ ଯାହା ଗ୍ଲେରିଓଲିଡାଏ ପରିବାରର ସଦସ୍ୟ । ଏହି ପକ୍ଷୀମାନେ ଜଳାଶୟ ନିକଟରେ ବସବାସ କରିଥାନ୍ତି ।

କୁଜି ବାଟହଣା ପକ୍ଷୀ
ଭାରତରେ ଉଠାଯାଇଥିବା ଫଟୋ ଚିତ୍ର
Conservation status

Least Concern  (IUCN 3.1)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ଶ୍ରେଣୀ:ଏଭସ
Order:Charadriiformes
Family:Glareolidae
Genus:Glareola
ଜାତି:G. lactea
ବାଇନୋମିଆଲ ନାମ
Glareola lactea
କୋନ୍ରାଡ଼୍ ଜାକବ୍ ଟେମିଂକ୍, ୧୮୨୦

ଭୌଗୋଳିକ ବିତରଣ

ଭାରତ, ପଶ୍ଚିମ ପାକିସ୍ତାନ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଲାଓସ, କାମ୍ବୋଡିଆ, ଶ୍ରୀଲଙ୍କାଥାଇଲାଣ୍ଡ ପ୍ରଭୃତି ଦେଶରେ ଏହି ପକ୍ଷୀ ମୂଳ ନିବାସୀ ଓ ସେଠାରେ ନିଜ ବଂଶ ବିସ୍ତାର କରି ଆସୁଛନ୍ତି । ଡିସେମ୍ବରରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ । ଏମାନେ ସମୁଦ୍ର ଓ ହ୍ରଦ ଇତ୍ୟାଦି ଜଳାଶୟ ତଟର ଗୋଡ଼ିପୂର୍ଣ୍ଣ ମାଟିରେ କିମ୍ବା ବାଲି ପଠାରେ ୨ରୁ ୪ ଗୋଟି ଅଣ୍ଡା ଦିଅନ୍ତି । ଭାରତରେ ଉତ୍ତର କର୍ଣ୍ଣାଟକର ହେମବତୀ ନଦୀ ତଟରେ ଓ ରାଇଚୁର ଅଞ୍ଚଳରେ ଏମାନେ ପ୍ରତିବର୍ଷ ପ୍ରଜନନ କରୁଥିବା ଲିପିବଦ୍ଧ କରାଯାଇଥିଲା ।[୨]) ଉତ୍ତର କେରଳର କନ୍ନୁର୍ ଅଞ୍ଚଳରେ ମଧ୍ୟ ଏମାନେ ପ୍ରତିବର୍ଷ ପ୍ରଜନନ କରୁଥିବା ବିଷୟ ଜଣା ପଡ଼ିଥିଲା ।


କୁଜି ବାଟହଣା[୩] ପକ୍ଷୀର ଶରୀର ମାତ୍ର ୧୬.୫-୧୮.୫ ସେଣ୍ଟିମିଟର ଦୀର୍ଘ । ଖୋଲା ଥିବା ବେଳେ ଦୁଇ ଡେଣାର ପ୍ରଶସ୍ତି ପ୍ରାୟ ୪୨-୪୮ ସେଣ୍ଟିମିଟର । ଅତି ଛୋଟ ଆକାରର ହୋଇଥିବାରୁ କୁଜି ବାଟହଣାକୁ ଦେଖିଲେ ବେଳେବେଳେ ଚଟିଆ ବା ଗିଳାପକ୍ଷୀ ବୋଲି ଭ୍ରମ ସୃଷ୍ଟି ହୁଏ ।

ବିବରଣୀ

କୁଜି ବାଟହଣାର ଗୋଡ଼ଗୁଡ଼ିକ ଓ ଲାଞ୍ଜ ଛୋଟ । ଏହାର ଡେଣା ଲମ୍ବା ଓ ମୁନିଆ । ଉଡ଼ନ୍ତା ଅବସ୍ଥାରେ ଖାଇବା ପାଇଁ ଏହାର ଛୋଟ ଥଣ୍ଟ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାର ଦେହର ରଙ୍ଗ ଅବସନ୍ନ ପାଉଁଶିଆ ରଙ୍ଗର ହୋଇଥିବାରୁ ଏହାର ଜୀବବିଜ୍ଞାନ ନାମରେ ଲାକ୍ଟିଆ (lacteal) – ଅର୍ଥାତ୍ “ଦୁଧିଆ” ଶବ୍ଦ ବ୍ୟବହୃତ ହୋଇଛି । ଏହାର ମୁଣ୍ଡର ଉପର ପଟ ମାଟିଆ ରଙ୍ଗର ।

ଏହି ପକ୍ଷୀର ପ୍ରାଥମିକ ଡେଣାପର କଳା ରଙ୍ଗର । ଡେଣା ଉପର ପଟ ପାଉଁଶିଆ ରଙ୍ଗର । ଡେଣାର ତଳ ପଟେ କଳା ଓ ଧଳା ଗାର ରହିଥାଏ । ଡେଣାର ଭିତର ପଟର ପର ମୁଖ୍ୟତଃ କଳା ରଙ୍ଗର । ଏହାର ଲାଞ୍ଜରେ ଧଳା ପର ଥାଏ ଓ ଲାଞ୍ଜର ଅଗଟି କଳା ରଙ୍ଗର ହୋଇଥାଏ । ଏହାର ପେଟ ଧଳା ରଙ୍ଗର ହୋଇଥାଏ ।

ପରିସଂସ୍ଥା

କୁଜି ବାଟହଣା ପକ୍ଷୀର ଏକ ବୈଚିତ୍ର୍ୟ ଏହି ଯେ – ଯଦିଓ ଏହି ପକ୍ଷୀ ୱେଡର୍ (ଜଳାଶୟ ତଟବର୍ତ୍ତୀ ପକ୍ଷୀ) ଶ୍ରେଣୀରେ ପରିଗଣିତ ହୁଏ, କିନ୍ତୁ ଅନ୍ୟ ଗିଳାପକ୍ଷୀଙ୍କ ପରି ଏହା ନିଜର ଅଧିକାଂଶ ଶିକାର ଉଡ଼ନ୍ତା ଅବସ୍ଥାରେ କରିଥାଏ । ଏମାନେ ଭୂମି ଉପରେ ବୁଲି ମଧ୍ୟନିଜର ଆହାର ଖୋଜିବା ଦେଖାଯାଏ ।

ଖୋଲା ଅଞ୍ଚଳରେ ଏହି ପକ୍ଷୀ ଅଧିକ ବିଚରଣ କରନ୍ତି । ସନ୍ଧ୍ୟା ସମୟରେ ପାଣି ନିକଟରେ ଏମାନେ ନିଜର ଶିକାର ଖୋଜି ବୁଲୁଥିବା ଦେଖାଯାଏ ।

ଚିତ୍ର ଗ୍ୟାଲେରି

ଆଧାର