ଉଦର ମହାଧମନୀ ସ୍ପୀତି

ଉଦର ମହାଧମନୀ ସ୍ପୀତି, ଇଂରାଜୀରେ ଆବଡୋମିନାଲ ଆଓର୍ଟିକ ଆନିଉରିଜ୍‌ମ ବା ଏ.ଏ.ଏ. ବା ଟ୍ରିପଲ ଏ (Abdominal aortic aneurysm or AAA),[୧] ରୋଗରେ ଉଦର ମହାଧମନୀର ଗୋଟିଏ ସ୍ଥାନୀୟ ସ୍ଫୀତି ବା ଫୁଲା ହୁଏ ଯାହାର ବ୍ୟାସ ୩ ସେ.ମି.ରୁ ଅଧିକ କିମ୍ବା ସାଧାରଣ ବ୍ୟାସଠାରୁ ୫୦%ରୁ ଅଧିକ ।[୨] ଏହା ସ୍ଫୀତ ହୋଇ ଫାଟି କଲା ପରେ ଲକ୍ଷଣ ପ୍ରକାଶ ପାଏ, ପୂର୍ବରୁ ନୁହେଁ ।[୨] ବେଳେ ବେଳେ ପେଟରେ, ପିଠିରେ ଓ ଗୋଡ଼ରେ ଯନ୍ତ୍ରଣା ହୁଏ । [୩] ବଡ଼ ଆକାରର ସ୍ଫୀତି ଥିଲେ ପେଟକୁ ଭିତରକୁ ଚିପି ଦେଲେ ହାତକୁ ଫୁଲା ସ୍ପର୍ଶ ହୁଏ ।[୩] ଫାଟିବାଦ୍ୱାରା ପେଟ ଓ ପିଠିରେ କଷ୍ଟ ହୁଏ, ରକ୍ତଚାପ କମିଯାଏ କିମ୍ବା ସାମୟିକ ମୂର୍ଚ୍ଛା ହୁଏ । [୨][୪]

ଉଦର ମହାଧମନୀ ସ୍ପୀତି
ସିଟି (CT) ଚିତ୍ରର ପୁନର୍ନିମାଣରେ ଉଦର ଆଓର୍ଟିକ ଆନିଉରିନ୍ମ ଦେଖାଯାଉଛି (ଧଳା ତୀର ଥିବା ସ୍ଥାନ) ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିvascular surgery[*]
ଆଇସିଡ଼ି-୧୦I71.3, I71.4
ଆଇସିଡ଼ି-୯-ସିଏମ୍441.3, 441.4
ଓଏମ୍‌ଆଇଏମ୍100070
ରୋଗ ଡାଟାବେସ792
ମେଡ଼ିସିନ-ପ୍ଲସ000162
ଇ-ମେଡ଼ିସିନmed/3443 emerg/27 radio/1
MeSHD017544

ଏ.ଏ.ଏ. ସାଧାରଣତଃ ୫୦ ବର୍ଷ ବୟସ ପରେ ହୁଏ; ପାରିବାରିକ ଇତିହାସ ଥିଲେ ଓ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ହୁଏ । [୨] ସଙ୍କଟପ୍ରଦ ଅବସ୍ଥା ମଧ୍ୟରେ ଧୂମ୍ରପାନ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ହୃତ୍‌ପିଣ୍ଡ ରକ୍ତନଳୀ ରୋଗ ଉଲ୍ଲେଖନୀୟ ।[୫] ସଙ୍କଟପ୍ରଦ ଜେନେଟିକ ରୋଗ ମଧ୍ୟରେ ମାର୍ଫାନ ସିଣ୍ଡ୍ରୋମ ଓ ଏଲର୍ସ-ଡାନଲସ ସିଣ୍ଡ୍ରୋମ ନାମ ସର୍ବାଗ୍ରେ ଆସେ । ଆଓର୍ଟିକ ଆନିଉରିଜ୍‌ମ ରୋଗ ମଧ୍ୟରେ ଏ.ଏ.ଏ. ମୂଖ୍ୟ ସ୍ଥାନ ଅଧିକାର କରେ । [୬] ଏହି ରୋଗର ୫୦% ବୃକ୍‌କର ତଳକୁ ହୁଏ ଓ ବାକି ବୃକ୍‌କର ପାଖ ସ୍ଥାନରେ ବା ତା ଉପର ସ୍ଥାନରେ ହୁଏ ।[୨] ଧୁମ୍ରପାନ ଇତିହାସ ଥିବା ଆମେରିକାର ୬୫ରୁ ୭୫ ବର୍ଷ ବୟସ୍କ ଲୋକଙ୍କର ଅଲ୍‌ଟ୍ରାସାଇଣ୍ଡ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରାଯାଏ ।[୭] ଇଂଲଣ୍ଡରେ ୬୫ ବୟସ ଉପରେ ସବୁ ପୁରୁଷଙ୍କର ସ୍କ୍ରିନିଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଏ ।[୨] ଅଷ୍ଟ୍ରେଲିଆରେ ସେଭଳି ନିର୍ଦ୍ଦେଶ ନାହିଁ ।[୮] ଥରେ ଆନିଉରିଜ୍‌ମ ରୋଗ ନିର୍ଣ୍ଣୟ କଲେ ନିୟମିତ ଭାବରେ ତା'ପରେ ଅଲ୍‌ଟ୍ରାସାଇଣ୍ଡ କରିବା ଆବଶ୍ୟକ ହୁଏ । [୩]

ଏହି ରୋଗର ପ୍ରତିଷେଧ ନିମନ୍ତେ ସବୁଠାରୁ ସୁବିଧା ଉପାୟ ହେଲା ଧୁମ୍ରପାନ ତ୍ୟାଗ କରିବା । ଅନ୍ୟ ଉପାୟମାନଙ୍କ ମଧ୍ୟରେ ଉଚ୍ଚ ଉକ୍ତଚାପ ଓ ଉଚ୍ଚ ରକ୍ତ କୋଲେସ୍ଟେରଲ ଚିକିତ୍ସା କରିବା ସ‌ହିତ ଓଜନ‌ଦାର ନ ହେବା । ପୁରୁଷଙ୍କର ଏ.ଏ.ଏ. ମାପ ୫.୫ ସେମି ଓ ମହିଳାଙ୍କର ୫.0 ସେମିରୁ ଅଧିକ ହେଲେ ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[୨] ଅନ୍ୟ ନିର୍ଦ୍ଦେଶନାମା ମଧ୍ୟରେ ଏ.ଏ.ଏ. ଶୀଘ୍ର ବୃଦ୍ଧିପ୍ରାପ୍ତ ହେଉଥିଲେ ଓ ଲକ୍ଷଣ‌ଯୁକ୍ତ ହୋଇଥିଲେ ଅପରେଶନ କରାଯାଏ ।[୩] ରୋଗ ହୋଇଥିବା ସ୍ଥାନ ଖୋଲିକରି (open surgery) ବା ଏଣ୍ଡୋଭାସ୍କୁଲାର/ଏଭାର (endovascular aneurysm repair/evar) ପଦ୍ଧତିରେ ଅପରେଶନ କରାଯାଏ । [୨] ଏଭାର ପଦ୍ଧତିରେ ଅନ୍ୟ ଅପରେଶନ ଅପେକ୍ଷା ମୃତ୍ୟୁ ସଙ୍କଟ କମ ଥାଏ, ଡାକ୍ତରଖାନାରେ ରହିବା ସମୟ କମ ହୁଏ କିନ୍ତୁ ସର୍ବଦା ଏହା ବିକଳ୍ପ ନୁହେଁ ।[୨][୯][୧୦] ଦୀର୍ଘକାଳୀନ ଭିତ୍ତିରେ ଏହି ଦୁଇ ପଦ୍ଧତିରେ କିଛି ଫରକ ଆସେନି । [୧୧] ଏଭାର ଅପରେଶନ ପରେ ପୁନଃ ପୁନଃ ଅପରେଶନ ଆବଶ୍ୟକ ହୋଇପାରେ । [୧୨]

ବୟସ ୬୫ ଉପରେ ଥିବା ପୁରୁଷଙ୍କ ମଧ୍ୟରେ ୨ରୁ ୮ % ଲୋକଙ୍କର ଏ.ଏ.ଏ. ହୁଏ । ପୁରୁଷଙ୍କ ରୋଗ ଅପେକ୍ଷା ମହିଳାମାନଙ୍କର ୧/୪ ଅଂଶ ହୁଏ । ୫.୫ ସେମିରୁ କମ ଆକାର ହୋଇଥିଲେ ଆନିଉରିଜ୍‌ମ ଫାଟିବା ସମ୍ଭାବନା ୧ %ରୁ କମ ଥାଏ । ଆନିଉରିଜ୍‌ମ ଆକାର ୫.୫ରୁ ୭ ସେମି ଥିଲେ ୧୦% ଲୋକଙ୍କର ଫାଟିବା ସମ୍ଭାବନା ଥାଏ, ୭ ସେମିରୁ ଅଧିକ ଥିଲେ ୩୩ % ସମ୍ଭାବନା ଥାଏ । ଫାଟିବା ପରେ ମୃତ୍ୟୁ ହାର ୮୫ରୁ ୯୦ % । [୨] ସନ ୧୯୯୦ରେ ଏହି ରୋଗ ଜନିତ ମୃତ୍ୟୁ ସଂଖ୍ୟା ୧୦୦,୦୦୦ ଥିବା ବେଳେ ସନ ୨୦୧୩ରେ ୧୫୨,୦୦୦ ଥିଲା ।[୧୩] କେବଳ ଆମେରିକାରେ ଏହା ଯୋଗୁ ୧୦,୦୦୦ରୁ ୧୮,୦୦୦ ମୃତ୍ୟୁ ହୋଇଥିଲା । [୬]

ଆଧାର