ଆସିର ପର୍ବତମାଳା
ଆସିର ପର୍ବତମାଳା (ଇଂରାଜୀରେ Asir Mountains[୧] ଆରବୀୟ ଭାଷାରେ جِبَال ٱلْعَسِيْر}}, ଜିବାଲ୍ ଅଲ୍ ଆସିର୍) ଦକ୍ଷିଣ-ପଶ୍ଚିମ ସାଉଦି ଆରବରେ ଲୋହିତ ସାଗର ସହିତ ସମାନ୍ତରାଳ ଭାବେ ଦଣ୍ଡାୟମାନ । ସାଉଦି ଆରବର ଆସିର ଅଞ୍ଚଳ ସହିତ ଏହି ପର୍ବତମାଳାର କିଛି ଅଂଶ ୟେମେନ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ । ପର୍ବତଶ୍ରେଣୀର କ୍ଷେତ୍ରଫଳ ଆନୁମାନିକ ୧ ଲକ୍ଷ ବର୍ଗ କିଲୋମିଟର । ଏହି ଅଞ୍ଚଳ ମଧ୍ୟରେ ପର୍ବତ, ସମଭୂମି, ଉପତ୍ୟକା ଓ ମାଳଭୂମି ରହିଛି ।[୨] କହିବାକୁ ଗଲେ, ଆସିର ପର୍ବତମାଳା ସରୱାତ ପର୍ବତମାଳାର ଅଂଶ ।[୩] ସରୱାତ ପର୍ବତମାଳା ଲୋହିତ ସାଗର ସହ ସମାନ୍ତରାଳ ଭାବେ ସାଉଦି ଆରବ ଓ ୟେମେନରେ ଆରବୀୟ ଉପଦ୍ୱୀପର ପଶ୍ଚିମାଂଶରେ ଅବସ୍ଥିତ ।[୪][୫][୬] ଏହି ପର୍ବତମାଳାର ଆରବୀୟ ନାମର ଅର୍ଥ ହେଉଛି ‘କଷ୍ଟକର’ । ଉତ୍ତର-ଦକ୍ଷିଣ ଦିଗରେ ଏହି ପର୍ବତଶ୍ରେଣୀ ବ୍ୟାପି ରହିଛି ।
ଆସିର ପର୍ବତମାଳା جِبَال ٱلْعَسِيْر | |
---|---|
جِبَال ٱلْعَسِيْر (ଆରବୀୟ ଭାଷା) | |
![]() ଜବାଲ ସୌଦାଃ ଶିଖରରୁ ପର୍ବତମାଳାର ଦୃଶ୍ୟ | |
Location | |
Coordinates | 21°36′N 39°48′E / 21.6°N 39.8°E |
ଭୂବୈଜ୍ଞାନିକ ତଥ୍ୟ
![](http://upload.wikimedia.org/wikipedia/commons/thumb/c/ce/AsirRockyMountain.jpg/188px-AsirRockyMountain.jpg)
ଆସିର ପର୍ବତମାଳା ମୁଖ୍ୟତଃ ଜୁରାସିକ୍, କ୍ରିଟେସିୟସ୍ ଓ ପାଲିଓଜିନ୍ କାଳର ସ୍ତରୀଭୂତ ଶିଳା, ଚୂନ ପଥର, ବାଲିପଥର, ଶେଲ୍ ପ୍ରଭୃତି ଶିଳାରେ ଗଠିତ । ପର୍ବତମାଳାର ଭିତ୍ତିଭୂମି ପ୍ରାକ୍-କାମ୍ବ୍ରିୟାନ୍ କାଳର ମୁଗୁନି ପଥରରେ ଗଠିତ ।[୨]
ଜଳବାୟୁ ଓ କୃଷି
ସାଉଦି ଆରବର ସମସ୍ତ ଅଞ୍ଚଳ ମଧ୍ୟରୁ ଏଠାରେ ବାର୍ଷିକ ସର୍ବାଧିକ ବୃଷ୍ଟିପାତ ହୋଇଥାଏ । ଆର୍ଦ୍ର ଅଞ୍ଚଳରେ ବାର୍ଷିକ ହାରାହାରି ୬୦୦ ମିଲିମିଟରରୁ ୧୦୦୦ ମିଲିମିଟର ବୃଷ୍ଟିପାତ ହୋଇଥାଏ । ପର୍ବତମାଳାର ପୂର୍ବସ୍ଥ ସମଭୂମି ଓ ମାଳଭୂମିରେ ବାର୍ଷିକ ସର୍ବାଧିକ ହାରାହାରି ୫୦୦ ମିଲିମିଟର ଓ ସର୍ବନିମ୍ନ ୧୦୦ ମିଲିମିଟର ବା ତାହାଠାରୁ କମ୍ ବୃଷ୍ଟିପାତ ହୋଇଥାଏ ।[୨] ପର୍ବତମାଳାର ପଶ୍ଚିମ ପଟରେ କୁହୁଡ଼ି ଓ ମେଘ ସୃଷ୍ଟି ହେବା ବେଳେ ପୂର୍ବ ପଟ ଅପେକ୍ଷାକୃତ ଶୁଷ୍କ ।
ସୋପାନ ପଦ୍ଧତି ଅବଲମ୍ବନ କରି ଏଠାରେ କିଛି ମାତ୍ରରେ କୃଷି କାର୍ଯ୍ୟ କରାଯାଇଥାଏ । ଗହମ, କଫି, କାର୍ପାସ, ନୀଳ, ଅଦା, ପନିପରିବା ଏବଂ ତାଳ ଇତ୍ୟାଦି ଏହି ଅଞ୍ଚଳର ପ୍ରମୁଖ କୃଷି ଉତ୍ପାଦ । ଏଠାକାର ଅଧିବାସୀ ଗୋରୁ, ମେଣ୍ଢା, ଛେଳି ଓ ଓଟ ପରି ଜୀବ ମଧ୍ୟ ପାଳନ କରିଥାନ୍ତି ।
ଜୈବବିବିଧତା
ଏଠାକାର ଭୂଗଠନ ଓ ଉଚ୍ଚଭୂମି ଯୋଗୁଁ ଏହି ଅଞ୍ଚଳର ଜୈବବିବିଧତାର ସ୍ୱାତନ୍ତ୍ର୍ୟ ବଜାୟ ରହିପାରିଛି । ଏହି ଅଞ୍ଚଳରେ ଅନେକ ନୂତନ ମିଜୋଗାଷ୍ଟ୍ରିଆ ଶିଉଳି ଓ ଛତୁ ଜାତୀୟ ଉଦ୍ଭିଦ ଆବିଷ୍କୃତ ହୋଇଛନ୍ତି ।[୭] ଏହି ଅଞ୍ଚଳରେ ରହିଥିବା ବଣରେ ମୁଖ୍ୟତଃ ଜୁନିପର୍ ଜାତୀୟ ଉଦ୍ଭିଦ, ଆକାଶିଆ ଜାତୀୟ ଉଦ୍ଭିଦ ଓ ଅନ୍ୟ ବୁଦା ଜାତୀୟ ଉଦ୍ଭିଦ ପରିଲକ୍ଷିତ ହୁଅନ୍ତି । ସମୁଦ୍ର ପତନରୁ ଉଚ୍ଚତା ଅନୁସାରେ ଆସିର ପର୍ବତମାଳାର ଉଦ୍ଭିଦମାନଙ୍କ ବିବିଧତା ପରିଲକ୍ଷିତ ହୁଏ । ୪୦୦ରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଥିବା ପର୍ବତର ନିମ୍ନାଂଶ, ୧୦୦୦ରୁ ୧୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ପର୍ବତର ଢାଲୁ ଅଞ୍ଚଳ, ୧୬୦୦ରୁ ୨୨୦୦ ମିଟର ଉଚ୍ଚତା ଅଞ୍ଚଳ, ୨୨୦୦-୩୧୦୦ ମିଟର ଉଚ୍ଚ ଅଞ୍ଚଳ ଓ ପୂର୍ବସ୍ଥ ବୃଷ୍ଟିଛାୟା ଅଞ୍ଚଳର ଉଦ୍ଭିଦ ପରସ୍ପରଠାରୁ କିଛି ମାତ୍ରାରେ ଭିନ୍ନ ।[୮]
ଲୋପ ପାଇ ଆସୁଥିବା ଆରବୀୟ କଲରାପତ୍ରିଆ ବାଘ ଉପପ୍ରଜାତିର ଶେଷ ପରିବାସ ରୂପେ ଆସିର ପର୍ବତମାଳା ଜଣା ।[୨][୫][୬] ଆରବୀୟ କଲରାପତ୍ରିଆ ବାଘ ସମୁଦ୍ର ପତନରୁ ୧୫୦୦ ମିଟର ଉଚ୍ଚ ଅଞ୍ଚଳରେ ରହନ୍ତି । କ୍ୟାମେରା ଟ୍ରାପିଂ ପଦ୍ଧତି ଅବଲମ୍ବନ କରି ଆସିର ପର୍ବତମାଳାରେ ଆରବୀୟ ଗ୍ୟାଜେଲ୍ ହରିଣର ସନ୍ଧାନ ମଧ୍ୟ ମିଳିପାରିଛି ।[୯] ଆସିର ପର୍ବତମାଳାରେ ଆସିର ଜାତୀୟ ଉଦ୍ୟାନ ମଧ୍ୟ ଅବସ୍ଥିତ । ଏହି ଜାତୀୟ ଉଦ୍ୟାନ ୪୫୦୦ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପ୍ତ । ଏହି ପର୍ବତମାଳାରେ ହାମାଦ୍ର୍ୟାସ୍ ବବୁନ୍ ଓ ଚିଲ, ବାଜ, ଛଞ୍ଚାଣଙ୍କ ପରି ବିଭିନ୍ନ ପ୍ରଜାତିର ଶିକାରୀ ପକ୍ଷୀ ଦେଖିବାକୁ ମିଳନ୍ତି ।[୧୦]
ଚିତ୍ର ଗ୍ୟାଲେରି
- ଅଭା ନିକଟସ୍ଥ ପର୍ବତମାଳା
- ଅଲ୍-ହବାଲାଃର ଦୃଶ୍ୟ
- ଅଲ୍-ସୌଦାଃ
- ବାରେକ୍ର ହୱାଲାରୁ ଜବାଲ ଅଥେର୍ବର ଦୃଶ୍ୟ
ଆହୁରି ଦେଖନ୍ତୁ
- ସାଉଦି ଆରବ
- ୟେମେନ
- ସରୱାତ ପର୍ବତମାଳା
- ଆରବୀୟ କଲରାପତ୍ରିଆ ବାଘ
ଆଧାର
ଆହୁରି ପଢ଼ିପାରିବେ
- A Journey Through the Tihama, the 'Asir, and the Hijaz Mountains, by Wilfred Thesiger