ଅକ୍ଷୟ ମହାନ୍ତି

ଓଡ଼ିଆ ସଙ୍ଗୀତଜ୍ଞ, ଗାୟକ

ଅକ୍ଷୟ ମହାନ୍ତି (ଖୋକା ଭାଇ ନାମରେ ମଧ୍ୟ ଜଣା, ୧୨ ଅକ୍ଟୋବର ୧୯୩୬ – ୧୭ ନଭେମ୍ବର ୨୦୦୨)[୩]କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ,[୪],ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।

ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି‌
ଜନ୍ମ
ଅକ୍ଷୟ କୁମାର ମହାନ୍ତି‌

(1936-10-12)୧୨ ଅକ୍ଟୋବର ୧୯୩୬
କଟକ, ଓଡ଼ିଶା
ମୃତ୍ୟୁ୧୭ ନଭେମ୍ବର ୨୦୦୨(2002-11-17) (ବୟସ ୬୬)
କଟକ
ଜାତୀୟତାଭାରତୀୟ
ଅନ୍ୟ ନାମଖୋକା ଭାଇ
ଶିକ୍ଷାସ୍ନାତକ (ଗଣିତ, ଆଇନ)[୧]
ଶିକ୍ଷାନୁଷ୍ଠାନଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ,
ରେଭେନ୍ସା ମହାବିଦ୍ୟାଳୟ,
ମଧୁସୂଦନ ଆଇନ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀପ୍ରବୀଣା ମହାନ୍ତି
ସନ୍ତାନଚିତ୍ରଭାନୁ ମହାନ୍ତି
ପିତାମାତା(s)ବିଚିତ୍ରାନନ୍ଦ ମହାନ୍ତି
ସୁବର୍ଣ୍ଣ ମଞ୍ଜରୀ ଦେବୀ
ସମ୍ପର୍କୀୟଦେବୀପ୍ରସନ୍ନ ପଟ୍ଟନାୟକ (ଭିଣୋଇ)
ହେମନ୍ତ ଦାସ (ମାମୁ ପୁଅ ଭାଇ)[୨]
ଦସ୍ତଖତ

ଜୀବନୀ

ଅକ୍ଷୟ ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।[୫]ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି ।ତିନୋଟି କଥାଚିତ୍ରରେ ସେ ଅଭିନୟ କରିଛନ୍ତି ଓ ଯାଯାବର କଥାଚିତ୍ରରେ ସହନିର୍ଦ୍ଦେଶନା ଦେଇଛନ୍ତି ।[୬] ସେ ୧୮ରୁ ଅଧିକ ବହି ଲେଖିଛନ୍ତି ।

ସଙ୍ଗୀତ

ବଡ଼ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।

୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବ୍ଦ ଭେଳିକି ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, "କାଞ୍ଚି ଅଭିଯାନ", "ରାଣ୍ଡୀପୁଅ ଅନନ୍ତା" ଆଉ "କୋଣାର୍କ ଗାଥା" ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

ସାଲବେଗଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।

କଥାଚିତ୍ର

୭୫ଟି କଥାଚିତ୍ରରେ ସେ ତିଆରି କରିଛନ୍ତି ଗୀତ ।

ଜଣାଶୁଣା ଗୀତ ସବୁ

ସୁଗମ/ରୋମାଣ୍ଟିକ

  • ରଜାଝିଅ ସାଙ୍ଗେ
  • ଯାଯାବର
  • ଯା'ରେ ଭାସି ଭାସି ଯା
  • ଗାଇଆଳ ଭାଇ ଗାଉଛି ଗୀତ
  • ସ୍ମୃତି ତୁମେ
  • ବଯସର କୃଷ୍ଣଚୁଡ଼ା
  • ତହୁଁ କାଞ୍ଜି ଗଲା
  • ଉଡ଼ି ଉଡ଼ି ଉଡ଼ି ଯା'ରେ ଉଡ଼ି
  • ବାହା ବାହାରେ କାପିଟାଲ
  • ପୁଣ୍ୟର ନଦୀତିରେ
  • ଅବୁଝା ପ୍ରିୟତମା
  • ନଦୀର ନାମ ଅଳସକନ୍ୟା
  • ସାବି ସାବି
  • ଆଲୋ ରତନି
  • ହେ ଫଗୁଣ ତୁମେ ଗଲା ପରେ
  • ନଣ୍ଡା ମୁଣ୍ଡିଆ ଡାଇଭର
  • ସକାଳର ଗାଡ଼ି
  • ବେବି ଏକ ଗେହ୍ଲା ଝିଅ
  • ଗୋରି ଗୋରି ଗୋରି
  • ରକତ ଟଳମଳ
  • ଟିକ ଟିକ ଟିକ ଘଣ୍ଟା ଚାଲେ
  • ଏଇ ଚୁମକି
  • ଅବୁଝା ପ୍ରିୟତମା
  • ଛପି ଛପି ବାସନ୍ତୀ ରାତି
  • ରେଳଗାଡ଼ି ଯାଉଛି ଗଡ଼ି
  • ସାତ ଦରିଆ ପାରେ
  • ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ
  • ଚଦ୍ରମଲ୍ଲି ହସେ
  • ଏ ଏ ଏ ଆଲୋ ଆଲୋ ମଣି
  • ରାତି ଯେ ଖୋଜେ
  • କଳଙ୍କିତ ଏଇ ନାୟକ
  • ହସ ତୋ ଲକ୍ଷେ ଟଙ୍କା
  • ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର
  • ତୁ କି ବୁଲି ବାହାରିବୁ ସହର
  • ମାଠିଆରେ ଗୋଟେ କଣା
  • କାଲୀ ଗୋରି ଦିହେଁ ଗାଧେଇ ଗଲେ
  • ଠିକ ତୋରି ପରି ଝିଅଟିଏ
  • ଜାତକ ପଡ଼ିଛି ରାଜଜୋଟକ

ଭଜନ

  • ଏକା ତୋ ଭକତ ଜୀବନ
  • କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
  • ଓଲଟ ବୃକ୍ଷେ ଖେଳୁଛି
  • ଅଧାଗଢ଼ା ଦିଅଁକର
  • ଦଶାବତାର (ଗୀତ ଗୋବିନ୍ଦ)
  • ଶ୍ରୀକୃଷ୍ଣ ବଂଶୀ ଧ୍ୱନି
  • ଜୟ ଜୟ ଜଗନ୍ନାଥ

ପୁରାଣ ଗାଉଣା

  • କାଞ୍ଚି ଅଭିଯାନ
  • ରାଣ୍ଡିପୁଅ ଅନନ୍ତା
  • କୋଣାର୍କ ଗାଥା

ସାହିତ୍ୟ କୃତି

  • ଅନେଶ୍ୱତ ରାଣୀ (ଗଳ୍ପଗୁଚ୍ଛ)
  • ବିଚରା (ଗଳ୍ପଗୁଚ୍ଛ)
  • ନଗ୍ନ ମୋନାଲିସା (ଗଳପଗୁଛ)
  • ବାହା ବାହାରେ ଆମେରିକା (ଭ୍ରମଣ କାହାଣୀ)
  • ଆର୍ଯଦାସର ଆତ୍ମଲିପି (ଅଧା ନିଜ ଜୀବନ କାହାଣୀ)
  • ଆର୍ଯଦାସର ଆତ୍ମଲିପି ୧ ଓ ୨ (ଆତ୍ମଜୀବନୀ ମୂଳକ ଉପନ୍ୟାସ)
  • ଆର୍ଯଦାସର ଶେଷଲିପି(ଅଧା ନିଜ ଜୀବନ କାହାଣୀ)[୭]
  • ଅଫେରା ନଦୀ (ଉପନ୍ୟାସ)
  • ଗାୟକ (ଉପନ୍ୟାସ)[୮]
  • ଜୟା ନୁହେଁ ଜାୟା (ଉପନ୍ୟାସ)[୯]
  • ଗୋଟିଏ କୁହୁ, ଅନେକ ଉହୁ (ଉପନ୍ୟାସ)

ପୁରସ୍କାର ଓ ସମ୍ମାନ

  • ଜୟଦେବ ପୁରସ୍କାର
  • ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର
  • ରାଜ୍ୟ ସଙ୍ଗୀତକାର ପୁରସ୍କାର
  • ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର
  • ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ (କେଇସିଟି ଗ୍ରୁପଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ - ୨୦୧୬ ଜାନୁଆରୀ ୬ରେ) [୧୦]

ଆଧାର

ଅଧିକ ତଥ୍ୟ